ସଂରକ୍ଷଣ ସୀମା ତର୍ଜମା ପାଇଁ ସବୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ : ଦେଶରେ ତିନି ଦଶନ୍ଧି ଧରି ପଛୁଆ ବର୍ଗ ଓ ଗରିବଙ୍କ ପାଇଁ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହା ଏବେ ଉପରକୁ ଯିବା ଆବଶ୍ୟକ ନା ନାହିଁ ତାହା ଜାଣିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି।

ମହାରାଷ୍ଟ୍ର ସରକାର ନିକଟରେ ମରାଠାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ୧୯୯୨ରେ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ସଂରକ୍ଷଣ ସୀମାକୁ ଅତିକ୍ରମ କରିଥବାରୁ ଏହା ବିରୋଧରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଆଗତ କରାଯାଇଥିଲା। ଆଜି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏଲ ନାଗେଶ୍ୱର ରାଓ, ଜଷ୍ଟିସ ଏସ୍ ଅବଦୁଲ ନଜିର, ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ଏସ୍‌ ରବୀନ୍ଦ୍ର ଭଟଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସଂରକ୍ଷଣ ବ୍ୟବସ୍ଥା ୫୦%ରୁ ଅଧିକ ହେବା ଦରକାର କି ନାହିଁ ତା’ର ଜବାବ ଖଣ୍ଡପୀଠ ମାଗିଛନ୍ତି। ଏହାଛଡା କେନ୍ଦ୍ର ସରକାରଙ୍କ ଇକୋନୋମିକାଲି ୱିକର ସେକସନ (ଇସିଡବ୍ଲ୍ୟୁ) କୋଟା ସଂଶୋଧନ ଉପରେ ମତ ରଖିବାକୁ କହିଛନ୍ତି।

ଖଣ୍ଡପୀଠ କହିଛନ୍ତି ସଂରକ୍ଷଣ ସମସ୍ୟା କେବଳ ଗୋଟିଏ ରାଜ୍ୟରେ ସୀମିତ ନୁହେଁ। ତେଣୁ କୌଣସି ନିଷ୍ପତ୍ତି ନେବା ପୂର୍ବର ସବୁ ରାଜ୍ୟଗୁଡ଼ିକର ଜବାବ ଶୁଣିବାକୁ ପଡ଼ିବ। ସେହିପରି ଦରକାର ପଡ଼ିଲେ ମାର୍ଚ୍ଚ ୧୫ରୁ ଏହା ଉପରେ ନିୟମିତ ଶୁଣାଣି କରାଯିବ। ସୂଚନାଯୋଗ୍ୟ ୧୯୯୨ ମସିହାରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସଂରକ୍ଷଣ ବ୍ୟବସ୍ଥା ଉପରେ ଶୁଣାଣି କରିଥିଲେ। ଆଉ କହିଥିଲେ କେବଳ ଅତି ଜରୁରୀ ସ୍ଥିତିକୁ ବାଦ୍‌ ଦେଲେ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ।

Leave a Reply

Your email address will not be published. Required fields are marked *

Back to top button