ପୁଣି ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା

ଭୁବନେଶ୍ବର : ‘କୋଭିଡ ପରିଚାଳନାରେ ଗୋଷ୍ଠୀ ବା କମ୍ୟୁନିଟି ହେଉଛି ରାଜ୍ୟ ସରକାରଙ୍କର ମୁଖ୍ୟ ସ୍ତମ୍ଭ। ଆରମ୍ଭରୁ ହିଁ ଗ୍ରାମ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ଏଥିରେ ସାମିଲ ଅଛନ୍ତି। ଲୋକଙ୍କୁ ସେବା ଯୋଗାଇବା ପାଇଁ ଏଏନ୍‌ଏମ୍, ଆଶା, ଅଙ୍ଗନବାଡି କର୍ମୀ ଓ ମିସନ ଶକ୍ତି ଗୋଷ୍ଠୀ ଆଦି ସମସ୍ତଙ୍କୁ ସାଥିରେ ନେଇ ସରକାର କୋଭିଡ ପରିଚାଳନା କାମ ଜାରି ରଖିଛନ୍ତି। ଆମେ ବର୍ତ୍ତମାନ କୋଭିଡର ଦ୍ବିତୀୟ ଲହର ମଧ୍ୟରେ ଅଛୁ। ଆଗକୁ ଆମକୁ କେତେ ଲହର ଓ କେତେ ପ୍ରକାର ଭୂତାଣୁକୁ ମୁକାବିଲା କରିବାକୁ ହେବ, ତାହା କେହି ଜାଣିନାହିଁ।

ସୋମବାର ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ସୂଚନା ଦେବାସହିତ କୋଭିଡ଼୍ ମୁକାବିଲା ପାଇଁ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ଘୋଷଣା କରିଛନ୍ତି ଯେ ଆସନ୍ତା ୨୪ ତାରିଖରୁ ୩ମାସ ପାଇଁ ସାରା ରାଜ୍ୟରେ ଆଶା ଓ ଏଏନ୍‌ଏମ୍ ମାନେ ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ। ସେଥିପାଇଁ ସେମାନଙ୍କୁ ମାସିକ ୧ହଜାର ଟଙ୍କା ଲେଖାଏଁ ୩ମାସ ପାଇଁ ପ୍ରୋତ୍ସାହନ ରାଶି ଦିଆଯିବ। ସେହିଭଳି ରାଜ୍ୟରେ ୪୬ହଜାର ୧୦୬ଟି ଗାଁ କଲ୍ୟାଣ ସମିତି ରହିଛି। କୋଭିଡ୍ ନିୟନ୍ତ୍ରଣ ପାଇଁ ସେମାନଙ୍କୁ ୧୦ ହଜାର ଟଙ୍କା ଦିଆଯିବ। ଗୃହ ସଙ୍ଗରୋଧ ତଦାରଖ ଦାୟିତ୍ବରେ ଥିବା ଆଶା କର୍ମୀଙ୍କୁ ସାଇକେଲ୍, ଚପଲ, ଛତା, ଟର୍ଚ୍ଚ ଏବଂ କପ୍ ବୋର୍ଡ ଆଦି ପାଇଁ ଏକକାଳୀନ ସରକାର ୧୦ ହଜାର ଟଙ୍କା ଦେବେ।

କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ପୁଣି ଥରେ ଜିଲ୍ଲାପାଳ କ୍ଷମତା ଫେରାଇ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ, ଲକ୍‌ଡାଉନ କାର୍ଯ୍ୟକାରୀ କରିବା ଏବଂ ଗାଁର ଆବଶ୍ୟକତାକୁ ଦେଖି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିବା ବିଷୟ ନେଇ ସରପଞ୍ଚମାନେ ସେମାନଙ୍କର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିପାରିବେ। ଗତବର୍ଷ ତୁଳନାରେ ଏ ବର୍ଷ ଅନ୍ୟ ରାଜ୍ୟକୁ ଫେରୁଥିବା ଲୋକଙ୍କ ସଂଖ୍ୟା କମ୍‌ ଥିଲେ ମଧ୍ୟ ସରକାର ଜୋନାଲ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଆରମ୍ଭ କରିସାରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ଆମକୁ ଦୀର୍ଘ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ହେବ। କରୋନା ବିରୋଧରେ ସଫଳ ଲଢେଇ ପାଇଁ ଟିକାକରଣ ହେଉଛି ମୁଖ୍ୟ ରଣକୌଶଳ। ଲୋକମାନେ ଯେପରି ଶୀଘ୍ର ଟିକା ପାଇପାରିବେ, ସେଥିପାଇଁ ସରକାର ବିଶ୍ବ ବଜାରରୁ ଟିକା କିଣିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସରକାରଙ୍କୁ ରାସ୍ତା ଦେଖାଇବା ପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ କରାଯାଇଛି। ଦେଶର ଅନ୍ୟ ଭାଗର ଘଟଣା ଉପରେ ଓଡ଼ିଶା ତୀକ୍ଷଣ ନଜର ରଖିଛି ଓ ଅଭିଜ୍ଞତା ଭିତ୍ତିରେ ଆଗୁଆ ପଦକ୍ଷେପ ନେଉଛି। ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ଆଇସିୟୁ ଓ ଏଚ୍‌ଡିୟୁ ଶଯ୍ୟାରେ ବୃଦ୍ଧି କରାଯାଇଛି। ପ୍ରତି ଜିଲ୍ଲାରେ ଅକ୍‌ସିଜେନ ସଂଯୁକ୍ତ ଶଯ୍ୟା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ତ୍ରୁଟିଶୂନ୍ୟ ଅକ୍‌ସିଜେନ ଯୋଗାଣ ପାଇଁ ଅଧିକ ଅକ୍‌ସିଜେନ ସିଲିଣ୍ଡର, ରିଫିଲିଂ ଓ ପରିବହନ କାର୍ଯ୍ୟ ତଦାରଖ କରାଯାଉଛି। ମୁଖ୍ୟ ଡାକ୍ତରଖାନା ଗୁଡିକରେ ଅକ୍‌ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ସହ ଅକ୍‌ସିଜେନ ସିଲିଣ୍ଡର ମଧ୍ୟ ଆମଦାନି କରାଯାଉଛି। ଜରୁରୀ ଔଷଧ ଓ ଅକ୍‌ସିଜେନ ଯୋଗାଣରେ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ସରକାର ଦୃଷ୍ଟି ରଖିଛନ୍ତି। ଏହାସତ୍ତ୍ବେ ରାଜ୍ୟରେ ଅକ୍‌ସିଜେନ ପରିଚାଳନା ବ୍ୟବସ୍ଥା ସୁଦୃଢ କରିବା ଏବଂ ଏଥିପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ଲାଗି ଏକ ଟାସ୍କଫୋର୍ସ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଦ୍ବାରା ବହୁ ମୂଲ୍ୟବାନ ଜୀବନ ରକ୍ଷା କରିପାରୁଛି ଓ ଏହା ଓଡିଶା ପାଇଁ ନିଶ୍ଚିତ ଭାବରେ ଗୌରବର କଥା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button