ଶରୀରକୁ ସୁସ୍ଥ ରଖେ ତମ୍ବାପାତ୍ର ପାଣି

ଭୁବନେଶ୍ୱେର : ତମ୍ବା ପାତ୍ରର ପାଣି ଶରୀର ପାଇଁ ହିତ। ସକାଳୁ ଖାଲି ପେଟରେ ଏହି ପାତ୍ରରେ ରଖାଯାଇଥିବା ପାଣି ପିଏଲ ଶରୀର ସୁସ୍ଥ ଓ ନିରୋଗ ହୁଏ। ଶରୀରରେ କପର ମାତ୍ରା ବଢେ। ତମ୍ବା ପାତ୍ରରେ ରଖାଯାଇଥିବା ପାଣି ବାସି ହୁଏନାହିଁ। ଅଧିକ ସମୟ ଯାଏଁ ତାଜା ରହିଥାଏ। ଏହି ପାଣି ପିଇଲେ ବାତ, ପିତ୍ତ ଓ କଫ ସନ୍ତୁଳିତ ରହିଥାଏ।

ଆୟୁର୍ବେଦ ଅନୁସାରେ ନିୟମିତ ସକାଳୁ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଉଚିତ। ତେବେ ଏହି ପାତ୍ରରେ ପାଣି ଅତିକମରେ ୮ ଘଣ୍ଟା ରହିବା ଆବଶ୍ୟକ। ପାଣି ସହ ତମ୍ବାର ରାସାୟନିକ ପ୍ରତିକ୍ରିୟା ଯୋଗୁଁ ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଇନଫ୍ଲାମେଣ୍ଟାରୀ ଗୁଣ ଉତ୍ପନ୍ନ ହୋଇଥାଏ। ନିୟମିତ ତମ୍ବା ପାତ୍ରରୁ ପାଣି ପିଇଲେ ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାରି ଯିବା ସହିତ ପେଟ ସଫା ହୁଏ। ଓଜନ କମାଇବାରେ ସହାୟକ ହୁଏ। ପାଚନ ତନ୍ତ୍ରକୁ ମଜବୁତ କରେ ଏବଂ ଅତିରିକ୍ତ ମେଦ କମ କରିବାରେ ସାହାଯ୍ୟ କରିଥାଏ।

ସାଧାରଣ ପାଣିରେ ଡାଇରିଆ, ଜଣ୍ଡିସ ଆଦି ରୋଗ ଉତ୍ପନ୍ନ କରିଥିବା ଜୀବାଣୁକୁ ନଷ୍ଟ କରିବା କ୍ଷମତା ନଥାଏ। କିନ୍ତୁ ତମ୍ବାପାତ୍ର ପାଣିରେ ଏହି ଜୀବାଣୁ ସହ ଲଢ଼ିବାର କ୍ଷମତା ରହିଛି। ଏକ ଅଧ୍ୟୟନ ଅନୁସାରେ ୧୬ ଘଣ୍ଟା ଯାଏଁ ତମ୍ବା ପାତ୍ରରେ ପାଣି ରଖିଲେ ଅଧିକାଂଶ ଜୀବାଣୁ ନଷ୍ଟ ହୋଇଯାଇଥାନ୍ତି। ପାଣିରେ ଥିବା ପେଚିଷ ବିଷାଣୁ ଓ ଇ-କୋଲାଇର ଅମିବା ସମ୍ପୂର୍ଣ ସମାପ୍ତ ହୋଇଯାଏ।

ସାଧାରଣତଃ ଲୋକେ ତମ୍ବା ପାତ୍ରରେ ପାଣି ପିଇବା ବେଳେ ସାବଧାନତା ପଦକ୍ଷେପ ଗ୍ରହଣ କରିନଥାନ୍ତି। ତମ୍ବା ପାତ୍ରରେ ପାଣି ରଖିବା ପୂର୍ବରୁ ଏହାକୁ ଭଲ ଭାବେ ସଫା କରିବା ନିହାତି ଆବଶ୍ୟକ। ଭଲଭାବେ ସଫା ନ କଲେ ଏଥିରେ କପର ଅକ୍ସାଇଡର ଆସ୍ତରଣ ଜମି ଯାଇଥାଏ। ଏହିଭଳି ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

ମତାମତ ଦିଅନ୍ତୁ ।