ଶରୀରରେ ୯୦ ଦିନ ରହୁଛି କରୋନା ଭୂତାଣୁ

ନୂଆଦିଲ୍ଲୀ : କରୋନା ସଂକ୍ରମିତଙ୍କ ଶରୀରରେ ଭୂତାଣୁ ୯୦ ଦିନ ତିଷ୍ଠି ରହୁଛି। ବିଭିନ୍ନ ହସ୍ପିଟାଲରୁ ହାସଲ କରାଯାଇଥିବା କ୍ଲିନିକାଲ୍‌ ତଥ୍ୟରୁ ବିଶ୍ଳେଷକମାନେ ଏପରି ସିଦ୍ଧାନ୍ତରେ ଉପନୀତ ହୋଇଥିବା ରିପୋର୍ଟରେ କୁହାଯାଇଛି।

ବିଶ୍ଳେଷଣ ଅନୁଯାୟୀ ସଂକଟାପନ୍ନ କରୋନା ଆକ୍ରାନ୍ତ ରୋଗୀଙ୍କ କ୍ଷେତ୍ରରେ ଏଭଳି ଘଟୁଛି। ରୋଗୀ ସୁସ୍ଥାହୋଇ ଘରକୁ ଫେରୁଥିଲେ ମଧ୍ୟ ଶରୀର ସମ୍ପୂର୍ଣ୍ଣ ଭୂତାଣୁ ମୁକ୍ତି ଦେଉନାହିଁ। ଯାହାଫଳରେ ଆରୋଗ୍ୟ ବ୍ୟକ୍ତି ଅନ୍ୟମାନଙ୍କୁ କରୋନା ଭୂତାଣୁ ବାଣ୍ଟିବାର ଆଶଙ୍କା ରହୁଥିବାରୁ ଏମାନେ ସୁପରସ୍ପ୍ରେଡର ହେବା କିଛି ଅସମ୍ଭବ ନୁହେଁ। ସେଥିପାଇଁ ରିପୋର୍ଟକୁ ଆଧାର କରି କରୋନାରେ ଆକ୍ରାନ୍ତଙ୍କ ସଙ୍ଗରୋଧ ଅବଧିକୁ ଆଉଥରେ ମୂଲ୍ୟାୟନ କରାଯାଉଛି। ସମ୍ଭବତଃ ଅବଧି ବୃଦ୍ଧି କରାଯାଇପାରେ ବୋଲି କୁହାଯାଉଛି।

ଆମେରିକାର ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ (ସିଡିସି) ଏହାର ଏକ ମୂଲ୍ୟାୟନ ଭିତ୍ତିକ ରିପୋର୍ଟରେ ଦର୍ଶାଇଛି କମ୍‌ ସଂକ୍ରମିତ ହେଉଥିବା ଲୋକମାନେ ମାତ୍ର ୧୦ ଦିନ ମଧ୍ୟରେ ଅନ୍ୟଙ୍କୁ ଆକ୍ରାନ୍ତ କରାଇ ପାରନ୍ତି। ପ୍ରତିରୋଧକ କ୍ଷମତା କମ୍‌ ଥାଇ ସ୍ୱଳ୍ପ ମାତ୍ରାରେ ସଂକ୍ରମିତ ହେଉଥିବା ଲୋକ ୨୦ ଦିନ ପର୍ଯ୍ୟନ୍ତ ଅନ୍ୟଙ୍କୁ କରୋନା ବାଣ୍ଟିପାରିବେ।

ଯେଉଁମାନେ ଅତିମାତ୍ରାରେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବେ ସେମାନେ ୯୦ ଦିନ ଯାଏଁ ସଂକ୍ରାମକ ହୋଇ ରହିବେ। କିନ୍ତୁ ୯୦ଦିନ ପରେ ସେମାନଙ୍କଠାରେ ଯେଉଁ ଅନ୍ୟ ରୋଗ ଅଥବା ସଂକ୍ରମଣ ଦେଖାଦେବ ତାହା କୋଭିଡ-୧୯ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି। କେୟାର ହସ୍ପିଟାଲର ବରିଷ୍ଠ ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ମୁସ୍ତଫା ଅଫଜଲ କହିଛନ୍ତି ଏହି ସଦ୍ୟ ମୂଲ୍ୟାୟନ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ବିଶେଷକରି ସଙ୍ଗରୋଧ ଅବଧି ଧାର୍ଯ୍ୟ କରିବା କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ।

ବର୍ତ୍ତମାନ ପରିପ୍ରେକ୍ଷୀରେ ସବୁ କ୍ଷେତ୍ର ନିମନ୍ତେ ସଂକ୍ରମଣ ସ୍ଥିତି ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ସେମାନେ ଏହାକୁ ଦୃଷ୍ଟିରେ ରଖି ନିଜର ବ୍ୟବସାୟିକ ରଣନୀତି ନିର୍ଦ୍ଧାରଣ କରିବେ। ସୁସ୍ଥ ହେଉଥିବା
ସଂକ୍ରମିତ କର୍ମଚାରୀ କିଭଳି ବିନା ଭୟରେ ପୁଣି କାର୍ଯ୍ୟରେ ଯୋଗଦେବେ ତାହା ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏହା ସବୁଠୁ ବେଶି ମହତ୍ତ୍ୱପୂର୍ଣ୍ଣ ହୋଇଥିବାରୁ ଏସିଆ ଓ ଓସନିଆର ମେଡିକାଲ ସଂଘ (ସିଏମ୍‌ଏଏଓ) ବିଭିନ୍ନ ଅଞ୍ଚଳର ଡାକ୍ତରଙ୍କ ମତାମତ ନେଇ କୋଭିଡ-୧୯ ପ୍ରୋଟୋକଲ୍‌ ନିର୍ଦ୍ଧାରଣ କରିଛି। କୋଭିଡ-୧୯ ଟେଷ୍ଟିଙ୍ଗ ପାଇଁ ଆର୍‌ଟି-ପିସିଆର୍‌କୁ ‘ଗୋଲ୍‌ଡ ଷ୍ଟାଣ୍ଡାର୍ଡ’ ବୋଲି ସେମାନେ ବିବେଚନା କରିଛନ୍ତି।

ସିଏମ୍‌ଏଏଓର ସଭାପତି ଡା. କେ କେ ଅଗ୍ରୱାଲଙ୍କ କହିବା ଅନୁଯାୟୀ ସଂକ୍ରମଣ ବେଳେ ଜିଙ୍କ୍‌ ଓ ଭିଟାମିନ୍‌ ଡି’ ଅତ୍ୟନ୍ତ ଜରୁରି। ତେବେ ସଂକ୍ରମଣର ପଞ୍ଚମ ଦିନ ଅତି ଗୁରୁତ୍ୱପୂର୍ଣ୍ଣ। ସଂକଟାପନ୍ନ ହୋଇଥିବା ଆକ୍ରାନ୍ତଙ୍କ ବିଶ୍ଳେଷଣରୁ ଏହା ଜଣାପଡିଛି। ତୃତୀୟ ଦିନରେ ନିମୋନିଆ ହେବାର ଆଶଙ୍କା ଥାଏ। କିନ୍ତୁ ପଞ୍ଚମ ଦିନରେ ସ୍ଥିତି ଅଧିକ ଖରାପ ହୋଇଥାଏ। ଯଦି ସେହି ସମୟରେ ନିମୋନିଆ ବାବଦରେ ଜଣାପଡ଼ି ନଥାଏ, ତେବେ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ। ଏଭଳି ସ୍ଥିତିରେ ରୋଗୀକୁ ହସ୍ପିଟାଲ ନିଆଯିବା ଜରୁରି। ତେବେ ସ୍ୱାଦ ଓ ଗନ୍ଧ ବାରି ନହେବା ଦୁଇଟି ପ୍ରାଥମିକ ଲକ୍ଷଣ। ଏହି ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟିଙ୍ଗ୍‌ କରାଇନେବା ଆବଶ୍ୟକ। ଅବହେଳା କରିବା ଅନୁଚିତ ବୋଲି ଡା. ଅଗ୍ରୱାଲ କହିଛନ୍ତି।

ସେହିପରି କୁହାଯାଇଛି କରୋନା ଭୂତାଣୁ ୧୫ ମିନିଟ୍‌ ମଧ୍ୟରେ ଜଣକଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ। କମ୍‌ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଗୃହ ସଙ୍ଗରୋଧ ସର୍ବୋତ୍କୃଷ୍ଟ। ସଂକ୍ରମଣକୁ ଏଡ଼ାଇବା ପାଇଁ ମାସ୍କ ଓ ସାମାଜିକ ଦୂରତା ସବୁଠୁ ସାର୍ବଜନିକ ନିବାରଣ ବ୍ୟବସ୍ଥା। ତେଣୁ ଏହାକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ମତାମତ ଦିଅନ୍ତୁ ।