ଶାସକ-ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ : ଗୃହ କାର୍ଯ୍ୟ ଅଟକିଲା

ଭୁବନେଶ୍ୱର : ବିଧାନସଭାରେ ଆଜି ମଧ୍ୟ ପରିଲକ୍ଷିତ ହୋଇଛି ଧାନକିଣା। ଏହି ପ୍ରସଙ୍ଗକୁ ନେଇ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିବାବେଳେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ନମାଗିବା ପର୍ଯ୍ୟନ୍ତ ଗୃହ ଚଳାଇ ଦିଆଯିବ ନାହିଁ ବୋଲି ଶାସକ ଦଳ ଚେତାବନୀ ଦେଇଛି। ବିରୋଧୀଙ୍କ ହଟ୍ଟଗୋଳ ଓ ଶାସକ ଦଳର ସଦସ୍ୟଙ୍କ ଓ ଜିଦ୍ ଯୋଗୁ ଗୃହ ଅଚଳ ହୋଇଛି।

ଶନିବାର ପୂର୍ବାହ୍ନରେ ବିଧାନସଭାର ଅଧିବେଶନ ଆରମ୍ଭ ହେବାମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଧାନକିଣାରେ ହେଉଥିବା ଅବ୍ୟବସ୍ଥା ଦୂର କରିବା ଦାବିରେ ହଟ୍ଟଗୋଳ କରିଥିଲେ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ ସମ୍ମୁଖରେ ବିଧାନସଭା ସଚିବଙ୍କ ଚେୟାର ଉପରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ସଦସ୍ୟମାନେ ସରକାର ବିରୋଧରେ ନରବାଜି କରିଥିଲେ।

ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗତକାଲି ଯେଭଳି ଗୃହରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ। ସେ ଗୃହର ମର୍ଯ୍ୟାଦାହାନି କରିଥିବାରୁ କ୍ଷମା ମାଗିବା ଉଚିତ। ଯେପର୍ଯ୍ୟନ୍ତ ସେ କ୍ଷମା ମାଗିନାହାନ୍ତି ସେପର୍ଯ୍ୟନ୍ତ ଗୃହକୁ ଚାଲିବାକୁ ଦିଆଯିବ ନାହିଁ। ଶ୍ରୀମତୀ ମଲ୍ଲିକଙ୍କ ଏହି ମନ୍ତବ୍ୟ ପରେ ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ଦାବିରେ ହଟ୍ଟଗୋଳ କରିଥିଲେ। ଗୃହର ଏହି ବାତାବରଣକୁ ଦେଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ସାଢ଼େ ୧୧ଟା ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ଅନୁରୂପ ପରିସ୍ଥିତି ଲାଗି ରହିଥିଲା। ଉଭୟ ଶାସକ ଓ ବିରୋଧୀ ସଦସ୍ୟମାନେ ଜିଦରେ ଅଟଳ ରହିଥିଲେ। ବାଚସ୍ପତି ପୁଣି ଗୃହକୁ ୪ଟା ୨ରୁ ୪ଟା ୧୭ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ତା’ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାରୁ ସମାନ ସ୍ଥିତି ଲାଗି ରହିଥିଲେ ମଧ୍ୟ ହଟ୍ଟଗୋଳ ମଧ୍ୟରେ ବିଲ୍ ଉପସ୍ଥାପିତ ହୋଇଥିଲା। ପରେ ବାଚସ୍ପତି ଗୃହକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ଗୃହ ବାହାରେ ଗଣମାଧ୍ୟମକୁ ଶାସକ ଓ ବିରୋଧୀ ଉଭୟ ସଦସ୍ୟମାନେ ପ୍ରତିକ୍ରିୟା ଦେଇଛନ୍ତି। କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି ଗୃହ ମଧ୍ୟଭାଗକୁ ଆସି ମନ୍ତ୍ରୀମାନେ ହଟ୍ଟଗୋଳ କରୁଛନ୍ତି। ଯାହାକି ବିଧାନସଭାରେ ପ୍ରଥମ ଘଟଣା। ତେଣୁ ମନ୍ତ୍ରୀମାନେ କ୍ଷମା ନମାଗିବା ପର୍ଯ୍ୟନ୍ତ ବିଧାନସଭାକୁ ଏଭଳି ଚାଳିବାକୁ ଦିଆଯିବ ନାହିଁ। ଯେଉଁ ମନ୍ତ୍ରୀମାନେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଛନ୍ତି ସେମାନେ ତୁରନ୍ତ କ୍ଷମା ମାଗନ୍ତୁ।

ସେହିପରି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ କହିଲେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଭୁଲ୍ ମାଗିବାର ପ୍ରଶ୍ନ ଉଠୁନି। ସଦସ୍ୟଙ୍କୁ ନିଲମ୍ବନ କରିବାର କ୍ଷମତା ସେମାନଙ୍କର ଅଛି। ସେମାନେ କରନ୍ତୁ। ବିଧାୟକ ଶ୍ରୀ ପାଣିଗ୍ରାହୀ କିଛି ଭୁଲ କରିନାହାନ୍ତି।

ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ କହିଲେ ଶ୍ରୀ ପାଣିଗ୍ରାହୀଙ୍କ ଗତକାଲିର କାର୍ଯ୍ୟ ପାଇଁ ସାରା ଦେଶରେ ଓଡ଼ିଶାର ନାଁ ଖରାପ ହୋଇଛି। ଲୋକପ୍ରତିନିଧିମାନେ ବିଧାନସଭା ଭିତରେ ଏଭଳି ଭୁଲ୍ ପରମ୍ପରା ସୃଷ୍ଟି କରିବା ଉଚିତ୍ ନୁହେଁ।

Leave a Reply

Your email address will not be published. Required fields are marked *

Back to top button