ଶତାଦ୍ଦୀର ପ୍ରଥମ ଧୂମକେତୁକୁ ଦେଖିବେ ଲୋକେ

ଭୁବନେଶ୍ୱର: ଚଳିତ ଶତାଦ୍ଦୀର ପ୍ରଥମ ଧୂମକେତୁ ବା ଲଞ୍ଜାତାରା ଉତ୍ତର-ପଶ୍ଚିମ ଦିଗବଳୟରେ ୨୦ ଡିଗ୍ରୀ ଉପରେ ଦେଖାଯିବ। ପ୍ରାୟ ୨୩ବର୍ଷ ପରେ ଶତାଦ୍ଦୀର ପ୍ରଥମ ଧୂମକେତୁ ଜୁଲାଇ ମାସ ୧୨ରୁ ୩୦ ତାରିଖ ଭିତରେ ଖାଲି ଆଖିରେ ଦେଖି ହେବ। ସବୁ ଦିନ ଧୀରେ ଧୀରେ ଏହା ଉପର ଆଡକୁ ଗତି କରି ମାସ ଶେଷର ଦିଗବଳୟର ପ୍ରାୟ ୪୦ ଡିଗ୍ରୀ ଉପରେ ପହଞ୍ଚିବ। ସେହି ସମୟରେ ଏହା ସପ୍ତର୍ଷିମଣ୍ଡଳର ନିକଟରେ ରହିବ ଓ ପ୍ରାୟ ଏକଘଣ୍ଟା ଧରି ଦେଖାଯିବ।

ଧୂମକେତୁ ସୂର୍ଯ୍ୟଠାରୁ ଦୂରେଇ ଯାଉଥିବା ଫଳରେ ୧୦ ତାରିଖ ପରଠାରୁ ଏହାର ଉଜ୍ଜ୍ଵଳତା କମି କମି ଜୁଲାଇ ୩୦ପରେ ଏହାକୁ ଆଉ ଖାଲି ଆଖିରେ ଦେଖିବା ସମ୍ଭବ ହେବ ନାହିଁ। ଏହି ସୂଚନା ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ। ଗତ ମାର୍ଚ୍ଚ ମାସ ୨୭ ତାରିଖରେ ସୂର୍ଯ୍ୟଠାରୁ ୩୧.୨ କୋଟି କିଲୋମିଟର ଦୂରରେ ଥିବା ‘ସି/୨୦୨୦ ଏଫ୍‌-୩’ ଧୁମକେତୁ ‘ନ୍ୟୁଓଓ୍ଵାଜ’ ନାମକ ଦୂରବୀକ୍ଷଣ ଦ୍ୱାରା ଆବିଷ୍କୃତ ହୋଇଥିଲା। ସେତେବେଳେ ଏହା କେବଳ ଅତି ବଡ଼ ଦୂରବୀକ୍ଷଣରେ ଦୃଶ୍ୟମାନ ହେଉଥିଲା। ହଠାତ ଜୁଲାଇ ମାସ ଆରମ୍ଭରେ ଧୂମକେତୁଟି ଖାଲି ଆଖିରେ ଦେଖାଯାଇଥିଲା।

ମତାମତ ଦିଅନ୍ତୁ ।