ଶତ୍ରୁ ପକ୍ଷର ଡ୍ରୋନ ଧ୍ୱଂସ କରିବାକୁ ଭାରତ ନିର୍ମାଣ କରିଛି ଆଣ୍ଟି-ଡ୍ରୋନ ସିଷ୍ଟମ

ନୂଆଦିଲ୍ଲୀ : ସ୍ୱଦେଶୀ ଜ୍ଞାନକୌଶଳରେ ଭାରତ ନିର୍ମାଣ କରିଛି ଆଣ୍ଟି-ଡ୍ରୋନ ସିଷ୍ଟମ। ଏଥିରେ ରହିଥିବା ଅତ୍ୟାଧୁନିକ ଉପକରଣ ଶତ୍ରୁ ପକ୍ଷକୁ ଉଚିତ ଜବାବ ଦେବ। ଏହି ସିଷ୍ଟମରେ ଏକ ସ୍ୱତନ୍ତ୍ର ପ୍ରକାରର ଲେଜର ଯନ୍ତ୍ର ଲଗାଯାଇଛି। ଯାହାକି ଡ୍ରୋନକୁ ଠାବ କରିବା ସହିତ ନଷ୍ଟ କରିଦେଇ ପାରିବ।

ଶନିବାର ଦିଲ୍ଲୀର ଲାଲକିଲ୍ଲାଠାରେ ପାଳନ କରାଯାଇଥିବା ୭୪ ତମ ସ୍ୱାଧୀନତା ଦିବସରେ ଏହି ଆଣ୍ଟି-ଡ୍ରୋନ ସିଷ୍ଟମ ଦେଖିବାକୁ ମିଳିଥିଲା। ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ସୁରକ୍ଷା ପାଇଁ ନିଯୋଜିତ ହୋଇଥିଲା କେତେକ ଅତ୍ୟାଧୁନିକ ଉପକରଣ। ତାହା ମଧ୍ୟରେ ଥିଲା ଆଣ୍ଟି-ଡ୍ରୋନ ସିଷ୍ଟମ। ଏଥିରେ ଲଗାଯାଇଥିଲା ଏକ ସ୍ୱତନ୍ତ୍ର ପ୍ରକାର ଲେଜର ଯନ୍ତ୍ର। ଯାହା ଡ୍ରୋନକୁ ଠାବ କରି ନଷ୍ଟ କରିଦେବା ପାଇଁ ସକ୍ଷମ।

ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଏହି ଆଣ୍ଟି-ଡ୍ରୋନ ସିଷ୍ଟମକୁ ନିର୍ମାଣ କରାଯାଇଛି। ତିନି କିଲୋମିଟର ଦୂରରୁ ଛୋଟ ଡ୍ରୋନକୁ ଠାବ କରି ଜାମ କରିପାରିବ। ଆଉ ଅଢେଇ କିଲୋମିଟର ଦୂରରୁ ଶତ୍ରୁ ପକ୍ଷର ଡ୍ରୋନକୁ ଶକ୍ତିଶାଳି ଲେଜର ରଶ୍ମି ପକାଇ ନଷ୍ଟ କରିପାରିବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି। ଏବେ ଡ୍ରୋନ ଗୁଡ଼ିକୁ ଆତଙ୍କବାଦୀ ଆକ୍ରମଣ କାମରେ ବ୍ୟବହାର କରାଯାଉଥବାରୁ ଏହି ଆଣ୍ଟି-ଡ୍ରୋନ ସିଷ୍ଟମ ବେଶ ଉପଯୋଗୀ ହୋଇପାରିବ। ଏଥିରେ ରହିଥିବା ଶକ୍ତିଶାଳୀ ରାଡାର ଦୂରରୁ ଆସୁଥିବା ମାଇକ୍ରୋ-ଡ୍ରୋନଗୁଡ଼ିକୁ ଠାବ କରିଥାଏ। ଏହାର କିଛି ସମୟମଧ୍ୟରେ ଉକ୍ତ ଡ୍ରୋନକୁ ନଷ୍ଟ କରିଦେଇଥାଏ।

ମତାମତ ଦିଅନ୍ତୁ ।