ସେ ଥିଲେ ଜଣେ ମାନବବାଦୀ ଓ କର୍ମଯୋଗୀ ରାଜନୀତିଜ୍ଞ

(ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତବାର୍ଷିକ ଉପଲକ୍ଷେ)

ଜଣେ ବିିଶିଷ୍ଟ ରାଜନୈତିଜ୍ଞ, ସମାଜସେବୀ, ଦୃଢମନା, ନିର୍ଭିକ ଓ ଦକ୍ଷ ଭାବେ ରାଜ୍ୟ ତଥା ଦେଶର ଜନମାନସକୁ ପ୍ରଭାବିତ କରିପାରିଥିବା ବ୍ୟକ୍ତି ମଧ୍ୟରେ ଜଗତସିିିିଂହପୁର ଜିଲ୍ଲା ମା’ ଶାରଳାଙ୍କ ବିଜେସ୍ଥଳୀ କନକପୁର ଗ୍ରାମରେ ଜନ୍ମିତ ସ୍ୱର୍ଗତ ପ୍ରତାପ ଚନ୍ଦ୍ର ମହାନ୍ତି ଅନ୍ୟତମ । ଓଡିଶାର ରାଜନୈତିକ କ୍ଷେତ୍ରକୁ ପରିପୁଷ୍ଟ କରିଥିବା ଏହି ଖ୍ୟାତନାମା ବହୁମୁଖୀ ପ୍ରତିଭାଧରଙ୍କର ପରଲୋକ ଘଟେ ୧୯୯୩ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ । ୧୯୨୦ ମସିହା ଅକ୍ଟୋବର ମାସ ୨୩ ତାରିଖରେ ଜନ୍ମଲାଭ କରିଥିବା ଏହି ବ୍ୟକ୍ତିଙ୍କର ଆଜି ହେଉଛି ଜନ୍ମ ଶତବାର୍ଷିକୀ । ଏହି ଦିନରେ ଆମ ସମସ୍ତଙ୍କ ପାଇଁ ଆଦର୍ଶ ହୋଇଥିବା ମାନବବାଦୀ ଓ କର୍ମଯୋଗୀ ବିଶିଷ୍ଟ ରାଜନୀତିଜ୍ଞ ସ୍ୱର୍ଗତ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କର ସମାଜ, ରାଜ୍ୟ ତଥା ଦେଶ ପାଇଁ ଅବଦାନର ସ୍ମୃତିଚାରଣ କରିବାର ସମୟ ଆସିଛି ।

ସ୍ୱର୍ଗତ ମହାନ୍ତି ବିଧାୟକ ଭାବରେ ୧୯୬୧, ୧୯୭୧ ଓ ୧୯୭୭ ମସିହାରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବିଭିନ୍ନ ସମୟରେ ବିଜୟଲାଭ କରିବାରେ ସକ୍ଷମ ହୋଇପାରିଥିଲେ । ମନ୍ତ୍ରୀ ହିସାବରେ ବିଭିନ୍ନ ସମୟରେ ଶିକ୍ଷା, ରାଜସ୍ୱ, ଉଠାଜଳସେଚନ ଓ ଶକ୍ତି ବିଭାଗର ଦାୟିତ୍ୱ ନେଇ ସେ ଓଡିଶାର ଉନ୍ନତି ସମେତ ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ବିଦ୍ୟାଳୟ ଶିକ୍ଷାର ପ୍ରସାର ନିମନ୍ତେ ବହୁ ପ୍ରଶଂସନୀୟ କାର୍ଯ୍ୟ କରିଯାଇଛନ୍ତି । ସେ ଥିଲେ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କର ଜଣେ ପରମ ଭକ୍ତ । କଥା ଓ କାର୍ଯ୍ୟ ଉଭୟ କ୍ଷେତ୍ରରେ ସେ ନିଗମାନନ୍ଦଙ୍କ ବାଣୀର ମହତ୍ୱ ପ୍ରତିପାଦନ କରୁଥିଲେ । ଆଧ୍ୟାତ୍ମିକତା ତାଙ୍କ ରାଜନୈତିକ ଓ ବ୍ୟକ୍ତିଗତ ଜୀବନକୁ ଶୃଙ୍ଖଳିତ କରିବାରେ ସହାୟକ ହୋଇଥିଲା ।

ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କର ସେ ଥିଲେ ଘନିଷ୍ଠ ସହଯୋଗୀ । ବିଜୁବାବୁଙ୍କ ନେତୃତ୍ୱ ପଛରେ ସବା ଆଗଧାଡିରେ ଠିଆ ହୋଇ ଯିଏ ଓଡିଶାରେ ଏକ ସୁଦୃଢ,ଶୃଙ୍ଖଳିତ ଓ ଜନହିତମୂଳକ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ବ୍ୟଗ୍ର ଓ ବ୍ୟାକୁଳ ହୋଇ ପଡୁଥିଲେ, ସେ ଥିଲେ ପ୍ରତାପ ଚନ୍ଦ୍ର ମହାନ୍ତି । ଲ୍ୟବୋଧଭିତ୍ତିକ ରାଜନୀତିରେ ବିଶ୍ୱାସ ରଖୁଥିବା ଅତି ଅଳ୍ପ କେତେଜଣ ନେତାଙ୍କ ମଧ୍ୟରୁ ସେ ଥିଲେ ଅନ୍ୟତମ । କେବଳ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଜଣେ ସାଧାରଣ, ଅମାୟିକ, ବନ୍ଧୁବତ୍ସଳ,ପ୍ରିୟଜନ ଭାବରେ ସେ ସମସ୍ତଙ୍କର ଥିଲେ ବେଶ୍ ପରିଚିତ । ସେ ତିର୍ତ୍ତୋଲ ଜନସାଧାରଣଙ୍କର ବିଭିନ୍ନ ସମସ୍ୟାରେ ଓତପ୍ରୋତ ଭାବରେ ଜଡିତ ହୋଇ ସମସ୍ତଙ୍କର ଆପଣାର ହୋଇପାରିଥିଲେ । ସେ ମୋର ପିତା ବିପିନ ବିହାରୀ ଦାସଙ୍କ ଘନିଷ୍ଠ ସହଯୋଗୀ ଓ ସହକର୍ମୀ ଥିଲେ । ଉଭୟ ୧୯୬୧ ମସିହାରେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇ ସେ ତିର୍ତ୍ତୋଲ ଓ ମୋ ପିତା ବାଲିକୁଦାରୁ ପ୍ରତିନିଧିତ୍ୱ କରିଥିଲେ। ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ସହିତ ଉଭୟଙ୍କର ଖୁବ୍ ଘନିଷ୍ଠତା ରହିଥିଲା ।

ଜୀବନର ପ୍ରଥମ ପାହାଚରେ ସେ ଜଣେ ସରକାରୀ କର୍ମଚାରୀ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ ହେଁ, ପରବର୍ତ୍ତୀ ସମୟରେ ବ୍ୟବସାୟରେ ମନୋନିବେଶ କରିଥିଲେ ଓ ସମୟକ୍ରମେ ସକ୍ରିୟ ରାଜନୀତିରେ ଯୋଗଦେଇ ନିଜର ରାଜନୈତିକ ଜୀବନ କଂଗ୍ରେସ ଦଳରୁ ଆରମ୍ଭ କରିଥିଲେ ଓ ପରେ ବିଜୁବାବୁଙ୍କ ଆହ୍ୱାନରେ ଉତ୍କଳ କଂଗ୍ରେସ ଏବଂ ଜନତା ଦଳରେ ଯୋଗଦେଇ ଜୀବନର ଶେଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ବିଜୁବାବୁଙ୍କ ନେତୃତ୍ୱକୁ ମାନି ନେଇଥିଲେ । ତାଙ୍କର ସ୍ୱଭାବ ସୁଲଭ ଭାଷଣ ଲୋକଙ୍କ ମଧ୍ୟରେ ଏପରି ଆଦୃତ ଥିଲା ଯେ, କୌଣସି ସଭା ବା ସମ୍ମିଳନୀରେ ସେ ଭାଷଣ ନ ଦେଲେ ଲୋକେ ସନ୍ତୁଷ୍ଟ ହେଉ ନଥିଲେ । ଯୋଜନା ବୋର୍ଡର ସଭ୍ୟ ଓ ବିଂଶସୂତ୍ରୀ କାର୍ଯ୍ୟକ୍ରମର ସଭାପତି ହିସାବରେ ସେ ଯେଉଁ ଦକ୍ଷତା ପ୍ରତିପାଦନ କରିଥିଲେ, ତାହା ପ୍ରଣିଧାନ ଯୋଗ୍ୟ । ଆଦର୍ଶ ଓ ମୂଲ୍ୟବୋଧଭିତ୍ତିକ ରାଜନୀତି,କର୍ତ୍ତବ୍ୟ ନିଷ୍ଠା, ଅନୁଗାମୀମାନଙ୍କ ପ୍ରତି ସ୍ନେହ, ଦଳୀୟ ଆନୁଗତ୍ୟ ସହିତ କର୍ତ୍ତବ୍ୟପରାୟଣତାର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ । ଜଗତସିଂହପୁର କଲେଜ ପରିଚାଳନା କମିଟିର ପ୍ରଥମ ପରିଚାଳନା କମିଟି ସଭ୍ୟ ଓ କଲେଜ ପାଇଁ ତାଙ୍କର ଅବଦାନ, ଜଗତସିଂହପୁର ସବ୍‌ଡିଭିଜନ ଗଠନ, ଏନ୍‌.ଏ.ସି ଓ ବିଦ୍ୟୁତ୍ ବିଭାଗ ଡିଭିଜନ ହିଁ ତାଙ୍କ ଦ୍ୱାରା ସମ୍ଭବ ହୋଇଥିଲା । ସବୁ ଅସମାହିତ ସମସ୍ୟା ସମାଧାନର ସେ ଥିଲେ ସୂତ୍ରଧର ।

ତାଙ୍କର ଅତୀତର ସମସ୍ତ ସ୍ମୃତି ଓ ଅବଦାନ ତାଙ୍କୁ ଆମ ଭିତରେ ଚିରଦିନ ଅମର କରି ରଖିବ । ଆଜି ତାଙ୍କର ଜନ୍ମ ଶତବାର୍ଷିକୀରେ ସେହି ମହାନ୍ ଆତ୍ମାର ସଦ୍‌ଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ମୁଁ ପ୍ରାର୍ଥନା କରି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ତାଙ୍କ ଆଦର୍ଶ ମୂଲ୍ୟବୋଧ ଓ ଉପଦେଶ ଆମ୍ଭ ସମସ୍ତଙ୍କ ଚରିତ୍ରରେ ପ୍ରତିଫଳିତ ହେବାର ଅଭିଳାଷ ହିଁ ଆଜିର ଦିନରେ ଦୃଢ ସଂକଳ୍ପ ହେଉ, ଏହାହିଁ ମୋର କାମନା।

ରଘୁନନ୍ଦନ ଦାସ, ମନ୍ତ୍ରୀ

ଦୂରଭାଷ-୯୪୩୭୦୩୮୨୮୧, ୯୯୩୭୭୦୫୩୧୮

ମତାମତ ଦିଅନ୍ତୁ ।