ସେପ୍ଟେମ୍ବର ୧୦ ବିବାହ : ୨୨ରେ ସ୍ୱାମୀ ଗିରଫ

ପାଣାଜୀ : ସେପ୍ଟେମ୍ବର ୧୦ ତାରିଖରେ ବିବାହ କରିଥିଲେ ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେ। ୨୨ ତାରିଖ ଅର୍ଥାତ ମଙ୍ଗଳବାର ସ୍ୱାମୀ ଶାମଙ୍କ ବିରୋଧରେ ମାରପିଟ ଅଭିଯୋଗ ଆଣିବାରୁ ଗୋଆ କାନାକୋନା ଥାନା ପୋଲିସ ତାଙ୍କୁ ଗିରଫ କରିଛି। ଦକ୍ଷିଣ ଗୋଆର କାନାକୋନା ଗାଁକୁ ପୁନମ ଫିଲ୍ମର ସୁଟିଂ ପାଇଁ ଯାଇଥିବା ବେଳେ ଏହି ଘଟଣା ଘଟିଛି।

କାନାକୋନା ଥାନା ନିରୀକ୍ଷକ ତୁକାରମ ଚୌହାନ କହିଛନ୍ତି ସେପ୍ଟେମ୍ବର ୨୧ ତାରିଖ ବିଳମ୍ବିତ ରାତିରେ ପୁନମ ଅଭିଯୋଗ କରିଥିଲେ ସ୍ୱାମୀ ଶାମ ମୁମ୍ବାଇରେ ତାଙ୍କ ସହ ମାରପିଟ କରିଥିଲେ। ଏହାର ଗମ୍ଭୀର ପରିଣାମ ଭୋଗିବାକୁ ଧମକ ଦେଇଥିଲେ। ଏହି ଅଭିଯୋଗ ଆଧାରରେ ସେମଙ୍କୁ ଗିରଫ କରାଯାଇଛି।

ଖବର ହେଲା ପୁନମ ପାଣ୍ଡେ ସେପ୍ଟେମ୍ବର ୧୦ ତାରିଖରେ ପ୍ରେମିକ ସେମଙ୍କୁ ବିବାହ କରିଥିଲେ। ଏ ସମ୍ପର୍କରେ କାହାକୁ ନଜଣାଇ ବିବାହ ପରେ ଉଭୟ ନିଜ ନିଜ ସୋସିଆଲ ଆକାଉଣ୍ଟରେ କିଛି ଫଟୋ ସେୟାର କରିଥିଲେ। ଫଟୋ ସେୟାର କରି ପୁନମ ଲେଖିଥିଲେ ‘୭ଜନ୍ମ ଯାଏଁ ତୁମ ସହିତ ରହି ଖୁସି ହେବି’। ପୁନମ ନିଜର ଏହି ସିକ୍ରେଟ ବାହାଘରକୁ ନେଇ ଅନେକ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ କରୋନା ମହାମାରୀ ଯୋଗୁଁ ପ୍ରତିଦିନ ତାଙ୍କୁ ଦୁଃଖଦ ଖବର ପଢିବାକୁ ମିଳୁଥିଲା। ସେଥିପାଇଁ କିଛି ଖୁସି ସାଉଣ୍ଟିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ।

୨୦୧୩ରେ ଫିଲ୍ମ ନଶାରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ହିନ୍ଦୀ, କନ୍ନଡ଼ ଓ ତାମିଲ ଫିଲ୍ମ କରିଛନ୍ତି। କିନ୍ତୁ ୨୦୧୧ରେ ଖୁବ ଚର୍ଚ୍ଚା ଥିଲେ ପୁନମ। ସେତେବେଳେ ସେ କହିଥିଲେ ଯଦି ଭାରତୀୟ ଟିମ ବିଶ୍ୱକପ ବିଜୟୀ ହୁଏ ତାହେଲେ ଉଲଗ୍ନ ହେବେ।

ମତାମତ ଦିଅନ୍ତୁ ।