ନିର୍ଲଜ୍ଜ ପୋଲିସ୍ ବାବୁଙ୍କ ଲାଞ୍ଚ ମାଗିବା କୌଶଳ

ଗାଡିରେ ତେଲ ପକାଇଲେ ତମ ଝିଅକୁ ଆମେ ଖୋଜିବୁ

ନୂଆଦିଲ୍ଲୀ : ଜଣେ ଅପହୃତ ନାବାଳିକା ଝିଅକୁ ଖୋଜିବାକୁ କହିଲେ ଲାଞ୍ଚ ମାଗୁଛନ୍ତି ପୋଲିସ ବାବୁ। କାନ୍ଦି କାନ୍ଦି ବିକଳ ହୋଇ ବୁଢୀ ମା ଟି କହୁଛି, ବଢ଼ିଲା ଝିଅ ମୋର କିପରି ଥିବ ? ହେଲେ ଗରିବ ମା’ର ଲୁହ ଦେଖି ବି ତରଳୁନି ଖାକି ବର୍ଦ୍ଦି ତଳେ ଥିବା ହୃଦୟହୀନ ପୋଲିସର ହୃଦୟ। ଝିଅକୁ ଫେରିପାଇବା ଆଶାରେ ଥାନାକୁ ଦୌଡ଼ି ଦୌଡ଼ି କଟି ଯାଇଥିବା ଗୋଡ଼ ଲହୁଲୁହାଣ ହୋଇଗଲାଣି ସିନା ହେଲେ ଦୁଃଖ ବୁଝୁନାହାନ୍ତି ପୋଲିସ ବାବୁ । କହୁଛନ୍ତି ଯେ, ଗାଡ଼ିରେ ତେଲ ପକାଇଲେ ଝିଅକୁ ଖୋଜି ଆଣିଦେବୁ। କିନ୍ତୁ ପାଠଶାଠ ପଢି ପୋଲିସ ହୋଇଥିବା ବାବୁଙ୍କ ଏହା ସୂଚାଇ ଦେଉଛି ଯେ ଗରିବ ଝିଅ ଇଜ୍ଜତର କିଛି ମୂଲ୍ୟ ନଥାଏ । କିନ୍ତୁ ଏଠାରେ ଆମେ କହି ରଖୁଛୁ ଯେ, ସେହି ପୋଲିସ ବାବୁଙ୍କ ଘରେ ଯଦି ବି ଚୁଲି ଜଳୁଥାଏ ତାହେଲେ ଏହି ଭଳି ହଜାର ହଜାର ସାଧାରଣ ଲୋକଙ୍କ ପାଇଁ ।

ସୂଚନାଯୋଗ୍ୟ ଉତ୍ତରପ୍ରଦେଶ କାନପୁରରେ ଜଣେ ଦିବ୍ୟାଙ୍ଗ ମହିଳା, ପୋଲିସ କର୍ମଚାରୀ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତୁମ ଝିଅକୁ ଖୋଜିଦେବୁ ଖୋଜିଦେବୁ କହି ଖାଲି ଥାନାକୁ ଦୌଡ଼ାଉଛନ୍ତି। ପୋଲସ ବାବୁଙ୍କ କଥାକୁ ସତ ମଣି ଭରସା କରିଥିଲା ଅସହାୟ ମା।  ଝିଅ ମିଳିଯିବା ଆଶାରେ ପୋଲିସ୍ ବାବୁଙ୍କୁ ୩ରୁ ୪ଥରରେ ୧୦ରୁ ୧୫ହଜାର ଟଙ୍କା ଡିଜେଲ ଭରିବାକୁ ଦେଇଛନ୍ତି ଦିବ୍ୟାଙ୍ଗ ମହିଳା ଜଣକ। ହେଲେ ଏସବୁ ସତ୍ତ୍ୱେ ଠକି ଦେଇଛନ୍ତି ପୋଲିସ ବାବୁ।

ଡିଜେଲ ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ଜଣେ ସମ୍ପର୍କୀୟଙ୍କ ଠାରୁ ଧାର କରି ଟଙ୍କା ଯୋଗାଡ କରିଥିଲେ। ଶେଷରେ ଆଉ ଟଙ୍କା ଯୋଗାଡ଼ କରିବାକୁ ସକ୍ଷମ ହୋଇନପାରିବାରୁ ପୋଲିସ ମୁଖ୍ୟଙ୍କ ନିକଟରେ ଅଭିଯୋଗ  କହିଛନ୍ତି। ଝିଅକୁ ଖୋଜିବା ବାହାନାରେ ଅନେକ ଥର ଅପମାନିତ ହୋଇଛନ୍ତି ମହିଳା ଜଣକ। ଏପରିକି ଥାନାରେ ସର୍ବସମ୍ମୁଖରେ ଝିଅର ଚରିତ୍ର ସଂହାର କରି ପୋଲିସ ଖରାପ କଥା କହିଥିବା ସେ ପ୍ରକାଶ କରିଛନ୍ତି। ଝିଅର କିଛି ଭୁଲ ଥିବ କହି ମଧ୍ୟ ହସରେ ଉଡ଼ାଇ ଦିଅନ୍ତି।

ଗତ ମାସରେ ସେ ନିଜ ଝିଅ ନିଖୋଜ ଥିବା ନେଇ ଥାନାରେ ମାମଲା ରୁଜ୍ଜୁ କରାଇଥିଲେ। କିନ୍ତୁ ପୋଲିସ ତାଙ୍କୁ ସାହାଯ୍ୟ କଲେନି ବରଂ ଲାଞ୍ଚ ପରେ ଲାଞ୍ଚ ମାଗିଲେ। ମହିଳାଙ୍କ ଭିଡିଓ ଭାଇରାଲ ହେବାପରେ କାନପୁର ପୋଲିସ ସଂପୃକ୍ତ  ଥାନା ଇନଚାର୍ଜଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ  ମହିଳାଙ୍କ ଅପହୃତ ଝିଅକୁ ଖୋଜିବାକୁ ୪ଟି ଟିମ ଗଠନ କରିଛି।

Leave a Reply

Your email address will not be published. Required fields are marked *

Back to top button