ସି-ସୋର ଚିଟ୍‌ଫଣ୍ଡ ଠକେଇ: ୮ଟି ସ୍ଥାନରେ ସିବିଆଇ ରେଡ୍

ଭୁବନେଶ୍ୱର : ଦୀର୍ଘ ଦିନର ନୀରବତା ପରେ ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ସକ୍ରିୟ ହୋଇଛି। ଆଜି ୮ଟି ସ୍ଥାନରେ ରେଡ୍ କରିଥିବା ସୂଚନା ମିଳିଛି। ୪ଟି ସ୍ଥାନ ଅର୍ଥାତ ଭୁବନେଶ୍ୱର ସମେତ କଟକ, ମୁମ୍ବାଇ ଓ ଥାନେରେ ହୋଇଛି ଏହି ଚଢ଼ଉ।

ଖବର ଅନୁଯାୟୀ ଶୁକ୍ରବାର ସିବିଆଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ଚଢ଼ାଉ କରିଛି। ସେହିପରି ତତ୍କାଳୀନ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ରବି ନନ୍ଦଙ୍କ ଘର ସମେତ ସ୍ୱାଗତିକା ଇନଫ୍ରା ଲିଃ ପରଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ପଟ୍ଟନାୟକ ଓ ଏଭେନ୍ୟୁ ଆସୋସିଏଟ ପ୍ରାଇଭେଟ ଲିମିଟେଡ ନିର୍ଦ୍ଦେଶକ ବିଷ୍ଣୁ ମିଶ୍ରଙ୍କ ଘରେ ରେଡ୍ ହୋଇଛି।

କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ କଟକ ମହାନଦୀ ଓ ଅଟ୍ରିରେ ସି-ସୋରକୁ ବୋଟିଂ ପାର୍କ ଠିକା ଦେବାକୁ ନେଇ ପୁଣି ଆରମ୍ଭ କରିଛି ଖୋଳତାଡ। ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଏ ନେଇ ପଚରାଉଚରା କରାଯାଇଥିବା ବେଳେ ତାଙ୍କ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ସରକାରୀ କ୍ୱାର୍ଟର୍ସ, ନରସିଂହପୁରସ୍ଥିତ ପୈତୃକ ଘର, କଟକ ଓ ଭଦ୍ରକ ସମେତ ୭ଟି ଜାଗାରେ ସିବିଆଇ ରେଡ୍ କରିଥିବା ସୂଚନା ମିଳିଛି। ତେବେ ସିସୋର ଗ୍ରୁପ ଅଫ୍ କଂପାନିର ଚିଟ୍‌ଫଣ୍ଡ କାରବାର ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ଘର ଓ ସଂସ୍ଥା ଉପରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।