ଶିମିଳିପାଳର ୬ ରେଞ୍ଜରେ ନିଆଁ ଲିଭିନି

ବାରିପଦା : ଶିମିଳିପାଳ ଅଭୟାରଣ୍ୟ ଏବେ ମଧ୍ୟ ଜଳୁଛି। ଉତ୍ତର ଶିମିଳିପାଳର ୬ଟି ରେଞ୍ଜରେ ନିଆଁ ଲାଗିଥିବା ସାଟେଲାଇଟ୍‌ ରିପୋର୍ଟରୁ ଜଣାପଡ଼ିଛି।

ଖବର ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟ ହେଉଛି ଏସିଆ ମହାଦେଶର ଦ୍ୱିତୀୟ ସର୍ବ ବୃହତ୍ ଜୈବମଣ୍ଡଳ। ନିଆଁ ଲାଗିବା ଯୋଗୁ ବହୁ ଔଷଧୀୟ ଗଛ ପୋଡି ଯାଉଥିବା ବେଳେ ଜୀବଜନ୍ତୁ ଅସୁରକ୍ଷିତ ଅବସ୍ଥାରେ ରହିଥିବା ଜଣାପଡ଼ିଛି। ନିଆଁ ଲିଭିନାହିଁ। ଉତ୍ତର ଶିମିଳିପାଳର ଗୁଡ଼ଗୁଡ଼ିଆ ରେଞ୍ଜର ୩ଟି, ବରେଇପାଣି ରେଞ୍ଜର ଗୋଟିଏ, କେନ୍ଦୁମୁଣ୍ଡି ରେଞ୍ଜ ୪ଟି, ନଅଣା ରେଞ୍ଜ ୩ଟି, ଠାକୁରମୁଣ୍ଡା ରେଞ୍ଜ ୨ଟି, ତାଳବନ୍ଧ ରେଞ୍ଜର ଗୋଟିଏ ସ୍ଥାନରେ ନିଆଁ ଲାଗିଛି। ନିଆଁ ଲିଭେଇବା ପାଇଁ ଅଗ୍ନିଶମ ବିଭାଗ ଓ ବନ କର୍ମଚାରୀ ନିୟୋଜିତ ଅଛନ୍ତି। ଏହାଛଡା ରାଇରଙ୍ଗପୁର, ବାରିପଦା, ବାଲେଶ୍ୱର ଓ ଭଦ୍ରକରୁ ୫ଟି ଅଗ୍ନିଶମ ବିଭାଗର ଟିମ୍‌ ନିଆଁ ଲିଭେଇବା କାର୍ଯ୍ୟରେ ମୁତୟନ ହୋଇଛନ୍ତି।

ସେହିପରି ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଂଜର ଯୌତୁକପଶି ଗ୍ରାମ୍ୟ ଜଂଗଲ ମଧ୍ୟ ଜଳୁଛି। ଶହଶହ ଏକର ପରିମିତ ଅଂଚଳରେ ଲାଗିଥିବା ଶାଳ ଜଙ୍ଗଲ ପୋଡି ଗଲାଣି। ଇଚ୍ଛାବତୀପୁର ଗ୍ରାମ୍ୟ ଜଂଗଳରେ ନିଆଁ ଲାଗିଥିବାରୁ ଜଙ୍ଗଲୀ ଜନ୍ତୁ ଗୁଡିକ ଗାଁ ମୁହାଁ ହେଉଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button