ଶିଶୁ ନିଖୋଜ ପ୍ରସଙ୍ଗ ଭୁଲିଗଲା ବିଜେପି

ଭୁବନେଶ୍ଵର : ରାଜ୍ୟର କେଉଁ ଅଞ୍ଚଳରୁ କେତେ ଶିଶୁ ନିଖୋଜ ହୋଇଛନ୍ତି। ଏବେ ସୁଦ୍ଧା କେତେଜଣଙ୍କୁ ଉଦ୍ଧାର କରାଯାଇ ସାରିଲାଣି। ପୋଲିସ ଘଟଣାର ସଠିକ ତଦନ୍ତ କରୁଛି ନା ନାହିଁ। ଏସବୁ ବୁଝିବାକୁ ବୋଧହୁଏ ରାଜ୍ୟ ବିଜେପି ପାଖରେ ଆଉ ସମୟ ନାହିଁ। ଶିଶୁ ନିଖୋଜକୁ ନେଇ କିଛିଦିନ ହୋହାଲ୍ଲା କରି ରାଜ୍ୟବାସୀଙ୍କୁ ଭେଳିକି ଦେଖାଇବା ପରେ ଦଳର ନେତାମାନେ ପ୍ରସଙ୍ଗକୁ ପୂରାପୂରି ଭୁଲି ଯାଇଛନ୍ତି। ସାଧାରଣରେ ଏବେ ଏହି ଚର୍ଚ୍ଚା ଚାଲିଥିବା ବେଳେ ଲୋକେ କହୁଛନ୍ତି କେବଳ ଲୋକପ୍ରିୟତା ହାସଲ କରିବାକୁ ବିଜେପି ପ୍ରୟାସ କରିଥିଲା।
ନୟାଗଡ କୁନି ଝିଅ ‘ପରି’ ଅପହରଣ ଓ ହତ୍ୟା ଘଟଣା ପରେ ରାଜ୍ୟରେ ଅନେକ ଶିଶୁ ନିଖୋଜ ହୋଇଥିବା ସାମ୍ନାକୁ ଆସିଥିଲା। ଏହି ପ୍ରସଙ୍ଗକୁ ଗୁରୁତର ଭାବେ ନେଇଥିଲା ବିଜେପି। ବିଭିନ୍ନ ସ୍ଥାନରେ ଚାଲିଲା ଆନ୍ଦୋଳନ। ରାଜ୍ୟ ପୋଲିସ ମୁଖ୍ୟଙ୍କ ନିକଟରେ ବିଜେପି ନେତାମାନେ ଦାବି କଲେ ନିଖୋଜ ଶିଶୁଙ୍କୁ ଖୋଜି ଆଣିବାକୁ ପଦକ୍ଷେପ ନିଆଯାଉ। କେବଳ ସେତିକି ନୁହେଁ ପ୍ରତ୍ୟେକ ବ୍ଲକରେ ନିଖୋଜ ଶିଶୁଙ୍କ ପାଇଁ ଦୀପ ଜାଳିଲେ। ନିଖୋଜ ପିଲାର ପରିବାରକୁ ବିଜେପି ଟିମ୍ ଭେଟି ସମବେଦନା ଜଣାଇଲା। ଏପରି ମହତ କାର୍ଯ୍ୟ କରିବାର ଇତିମଧ୍ୟରେ କେତେମାସ ବିତିଗଲାଣି। ହେଲେ ପୋଲିସ କେତେ ନିଖୋଜ ଶିଶୁଙ୍କୁ ଖୋଜି ଫେରାଇ ଆଣିଛି ଓ କେତେଜଣ ଦୋଷୀ ଧରାପଡିଛନ୍ତି ତାହାର କୌଣସି ସୂଚନା ନାହିଁ। ଏ କଥା ବୁଝିବାକୁ ରାଜ୍ୟ ବିଜେପି ପାଖରେ ପ୍ରାୟତଃ ସମୟ ନାହିଁ। ପ୍ରସଙ୍ଗକୁ ଦଳର ନେତାମାନେ ଏକ ପ୍ରକାର ଭୁଲି ଯାଇଛନ୍ତି ବୋଲି କୁହାଯାଉଛି।
ସେହିପରି ରାଜ୍ୟ କଂଗ୍ରେସର ଭୂମିକା ମଧ୍ୟ ସମାନ। ଏହି ଦଳର କେହି ଜଣେହେଲେ ଆଉ ଶିଶୁ ନିଖୋଜ କଥା କହୁନାହାନ୍ତି। ଏଥିରୁ ଜଣାପଡୁଛି ଛୋଟ ପିଲାଙ୍କ ନିଖୋଜ ଭଳି ପ୍ରସଙ୍ଗ ପ୍ରତି ବିରୋଧିଦଳର ଆନ୍ତରିକତା ନାହିଁ। ଯାହାସବୁ କହିଥିଲେ ଏବଂ ଦଳ ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ କରାଯାଇଥିଲା ତାହା ଥିଲା ଲୋକଦେଖାଣିଆ। କେବଳ ରାଜନୀତି ପାଇଁ ଉଦ୍ଦିଷ୍ଟ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଲୋକେ କହୁଛନ୍ତି ସବୁ ରାଜନୈତିକ ଦଳର ନେତା ଗୋଟିଏ ଭାଡିର ପାରା। ସ୍ଵାର୍ଥ ପାଇଁ ସେମାନେ ସବୁକିଛି କରିପାରିବେ। ଶସ୍ତା ଲୋକପ୍ରିୟତା ପାଇଁ ଭେଳିକି କରୁଥିଲେ। ଏବେ ସେ କଥା ଆଉ ମନେ ପଡିବ କାହିଁକି। ବାସ୍ତବିକ ତାହାହିଁ ସତ। କାରଣ ଗତ କିଛିଦିନ ମଧ୍ୟରେ କୌଣସି ରାଜନୈତିକ ଦଳ କିମ୍ବା ସଂଗଠନ ଶିଶୁ ନିଖୋଜ ସମ୍ପର୍କରେ ପଦୁଟିଏ ମୁହଁ ଖୋଲିନାହାନ୍ତି। ଏହାର ଅର୍ଥ ଶିଶୁ ହଜିଯିବା ଏକ ମାମୁଲି ଘଟଣା। ଯାହାର ପିଲା ହଜିଛି ସିଏ ସେ କଥା ବୁଝିବ। ଆମ ପିଲାଙ୍କ କଥା ଆମେ ଚିନ୍ତା କରିବା ଦରକାର। ଏହି ନ୍ୟାୟରେ ସମସ୍ତେ ଚୁପ। ଯଦି ଏଭଳି ସ୍ଵାର୍ଥପରମାନଙ୍କୁ ଶାସନ କ୍ଷମତା ମିଳିବ ତେବେ ରାଜ୍ୟର ଆଉ କ’ଣ ଅଧିକ ହେବ ? ଯେମିତି ଲୋକେ ଉଦାହରଣ ଦେଇ କହନ୍ତି ‘ଯାହା ଅଛି ତାହା ଥାଉ, ଇତି ବାଞ୍ଛା ସାହୁ’। ଠିକ ସେହିପରି କ୍ଷମତାକୁ ଯିଏ ଆସିବ ସିଏ ସେଇ ରାସ୍ତାରେ ଚାଲିବ। ଜନତାଙ୍କ ଦୁଃଖ କେହି ବୁଝିବେନି ବୋଲି ବିଚାର କରିବାକୁ ହେବ। ଏଭଳି ପରିସ୍ଥିତିରେ ଶିଶୁ ନିଖୋଜ ହୋଇଥିବା ପରିବାରକୁ ପୋଲିସ କିମ୍ବା ରାଜନେତା ନୁହେଁ, ଭଗବାନ ହିଁ ଭରସା।