ସ୍କୁଲ ଓ କଲେଜ ପାଇଁ ୟୁଜିସିର ଗାଇଡଲାଇନ

ନୂଆଦିଲ୍ଲୀ : ୟୁଜିସି ପକ୍ଷରୁ ସ୍କୁଲ ଓ କଲେଜ ଖୋଲିବା ଗାଇଡଲାଇନ ଜାରି କରାଯାଇଛି। ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏଥିରେ ରହିଛି ବିଭିନ୍ନ ପ୍ରକାରର ନିୟମ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ୟୁଜିସିର ଗାଇଡଲାଇନ ଅନୁଯାୟୀ ଫେଜ ଅନୁସାରେ କ୍ଲାସ ଗୁଡ଼ିକ କରାଯିବ। କ୍ଲାସ ରୁମ୍‌ରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ସିଟିଂ ବ୍ୟବସ୍ଥା ଓ ଏହାର ଆକାର ଦେଖି ରୋଟେସନ ଭିତ୍ତିରେ ୫୦ ପ୍ରତିଶତ ପିଲାଙ୍କୁ ପାଠ ପଢ଼ିବା ପାଇଁ ଛଡ଼ାଯିବ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ କେବେ ଖୋଲିବ ସେ ସମ୍ପର୍କରେ ନିଷ୍ପତ୍ତି ନେବେ। ବିଦେଶରେ ରହୁଥିବା ଛାତ୍ରଛାତ୍ରୀମାନେ କରୋନା ଯୋଗୁ ଯାତାୟାତ ଓ ଭିସା ପାଇବାରେ ସମସ୍ୟା ଭୋଗୁଛନ୍ତି। ତେଣୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ୟୁଜିସି ଶିକ୍ଷାନୁଷ୍ଠାନ ଗୁଡ଼ିକୁ କହିଛି।

୧-ସମସ୍ତେ ମାସ୍କ ପିନ୍ଧିବେ ଓ ପରସ୍ପର ମଧ୍ୟରେ ୬ ଫୁଟର ଦୂରତା ରକ୍ଷା କରିବା ବାଧ୍ୟତାମୂଳକ।

୨-ନିୟମିତ ହାତକୁ ସାନିଟାଇଜ କରାଯିବ କିମ୍ବା ୪୦ରୁ ୬୦ ସେକଣ୍ଡ ଯାଏ ହାତକୁ ସାବୁନରେ ଧୋଇବେ।
୩-କାଶିବା ଓ ଛିଙ୍କିବା ବେଳେ ଟିସୁ କିମ୍ବା ରୁମାଲରେ ଏହାକୁ ଘୋଡ଼ାଇ ରଖିବେ। ଏଗୁଡ଼ିକୁ ଉତ୍ତମ ଭାବେ ଫୋପାଡ଼ିବାର ବ୍ୟବସ୍ଥା କରିବେ।

୪- କେହି ଛେପ କେଉଁଠି ପକାଇ ପାରିବେ ନାହିଁ।

୫-ଦରକାର ପଡ଼ିଲେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବା ବାଧ୍ୟତାମୂଳକ କରାଯିବ।

୬-କୌଣସି କଲେଜରେ କ୍ଲାସ ଆରମ୍ଭ ହେବା ପୂର୍ବରୁ ପ୍ରଥମେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ସ୍ଥାନକୁ ସୁରକ୍ଷିତ ଘୋଷଣା କରାଯିବ। ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପ୍ରତିନିଧି ସେଠାକୁ ଯାଇ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ବ୍ୟବସ୍ଥା ଆପଣା ଯାଇଛି କି ନାହିଁ ଯାଞ୍ଚ କରିବେ।

୭-ଦରକାର ପଡ଼ିଲେ ରାଜ୍ୟ ସରକାର କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ କଠୋର ଗାଇଡଲାଇନ ଜାରି କରିପାରିବେ।

୮- କଣ୍ଟେନମେଣ୍ଟ ଜୋନ ବାହାରେ ଥିବା କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। ସେହିପରି କଣ୍ଟେନମେଣ୍ଟ ଜୋନରୁ କୌଣସି ଶିକ୍ଷକ କିମ୍ବା ଶିକ୍ଷାର୍ଥୀଙ୍କୁ କ୍ଲାସ କରିବାକୁ ଅନୁମତି ମିଳିବ ନାହିଁ।

ମତାମତ ଦିଅନ୍ତୁ ।