ସୋମବାର ଶପଥ ଗ୍ରହଣ କରିବେ ନୀତୀଶ

ପାଟନା : ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର। ଏନଡିଏ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ସେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି।

ରବିବାର ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନରେ ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ପର୍ଯ୍ୟବେକ୍ଷକ ଭାବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୈଠକର ଯୋଗ ଦେଇଥିଲେ। ନୀତୀଶଙ୍କ ନାଁ’ରେ ମୋହର ବାଜିଥିଲା। ବୈଠକରେ ଏନଡିଏର ସମସ୍ତ ନବନିର୍ବାଚିତ ବିଧାୟଙ୍କ ଉପସ୍ଥିତ ଥିଲେ। ବିହାର ନିର୍ବାଚନରେ ବିଜେପିର ସର୍ବାଧିକ ୭୪ ଜଣ ବିଧାୟକ ଥିବା ବେଳେ ଜେଡିୟୁର ୪୩ ଜଣ, ହମ ଦଳ ଓ ଭିଆଇପି ନିକଟରେ ୩-୪ ବିଧାୟକ ରହିଛନ୍ତି। ତେବେ ସୁଶୀଲ ମୋଦି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି।

ଅନ୍ୟପକ୍ଷରେ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଆରଜେଡି ସାଂସଦ ମନୋଜ ଝା କହିଛନ୍ତି ଜଣେ ୪୦ଟି ଆସନରେ ବିଜୟୀ ହୋଇ କେମିତି ମୁଖ୍ୟମନ୍ତ୍ରୀ ଆସନରେ ବସିବେ ? ଜନାଦେଶ ନୀତୀଶଙ୍କ ବିରୋଧରେ ଯାଇଛି। ସେ ଧ୍ୱଂସ ହୋଇ ସାରିଛନ୍ତି। ବିହାର ବିକଳ୍ପ ପାଇବ। ଏଥିପାଇଁ ସମୟ ଲାଗିପାରେ। ହେଲେ ବିକଳ୍ପ ପାଇବ ସୁନିଶ୍ଚିତ। ସେହିପରି ଆରେଜେଡିର ଏହି ମନ୍ତବ୍ୟକୁ କଂଗ୍ରେସ ସମର୍ଥନ କରିଛି। କଂଗ୍ରେସର ତାରିକ ଅନଓ୍ୱର କହିଛନ୍ତି ପୂର୍ବରୁ ନୀତୀଶ ବିହାରର ନେତୃତ୍ୱ ଭଲ ଭାବରେ ନେଇଥିଲେ। ଏବେ ସେ ବିଜେପି ପାଇଁ ଦୁର୍ବଳ ହୋଇ ଯାଇଛନ୍ତି।

ମତାମତ ଦିଅନ୍ତୁ ।