Wed. Feb 26th, 2020

ନୂଆବର୍ଷରେ ମନ୍ତ୍ରିମଣ୍ଡଳ ଅଦଳବଦଳ

ଭୁବନେଶ୍ଵର (ଯଦୁନାଥ ଓଝା) : ନୂଆବର୍ଷ ୨୦୨୦କୁ ସ୍ଵାଗତ କରିବା ଏବେ ଚାରିଆଡେ ଭୋଜିଭାତର ପ୍ରସ୍ତୁତି ଚାଲିଛି। ପିକନିକ୍ ଆରମ୍ଭ ହୋଇଗଲାଣି। ଛୁଟି ଦିନରେ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜମୁଛି ପିକନିକ୍ ପାଟିଙ୍କ ଗହଳି। ଗାଁ’ ଠାରୁ ସହର ପର୍ଯ୍ୟନ୍ତ ସବୁଆଡେ ସମାନ ସ୍ଥିତି। ନୂଆବର୍ଷ ମନାଇବାକୁ ସମସ୍ତେ ପ୍ରସ୍ତୁତ। କିନ୍ତୁ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଏତେଟା ଖୁସି ନଥିବା ମନେ ହେଉଛି। ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ସେମାନଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ବିଜେଡି ସରକାର ଏକବର୍ଷ ପୂରଣ କରିବାକୁ ଆଉ କିଛିମାସ ବାକିଅଛି। କିନ୍ତୁ ପଞ୍ଚମ ପାଲିର ଏଇ ସରକାର ଇତିମଧ୍ୟରେ ଅନେକ ପଦକ୍ଷେପ ନେଇସରିଲାଣି। ରାଜ୍ୟରେ ଲାଗୁ ହୋଇଛି ‘ମୋ ସରକାର’। ‘୫ଟି’କୁ ଦିଆଯାଉଛି ଗୁରୁତ୍ଵ। ‘୫ଟି’ ସଚିବ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତକରି ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି। ଆହାର କେନ୍ଦ୍ରରେ ଖାଇ ଖାଦ୍ୟର ମାନ ପରଖିଛନ୍ତି। ସରକାର ଗ୍ରହଣ କରିଛନ୍ତି କଡା ଆଭିମୁଖ୍ୟ। ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଉଥିବା ବେଳେ ଲାଞ୍ଚଖୋରଙ୍କ ଉପରେ ହେଉଛି କାର୍ଯ୍ୟାନୁଷ୍ଠାନ। ଏହାଛଡା ସରକାରଙ୍କ ବିଭିନ୍ନ ଲୋକଙ୍କ ପାଇଁ କ’ଣ କରିଛନ୍ତି ତାହାର ମାସିକିଆ ରିପୋର୍ଟ ଦେଉଛନ୍ତି ମନ୍ତ୍ରୀ ଓ ବିଭାଗୀୟ ସଚିବ। ଏହି ରିପୋର୍ଟ ଆଧାରରେ ଦକ୍ଷତା ଆକଳନ କରାଯାଉଛି।

ସବୁଠାରୁ ବଡକଥା ହେଲା ନବୀନଙ୍କ ପଞ୍ଚମ ପାଳିର ସରକାର କଠୋର ନୀତି ଆପଣେଇଛି। କୌଣସି ଭୁଲ ପାଇଁ କ୍ଷମାନାହିଁ। ସ୍ଵଚ୍ଛତା ଆଧାରରେ ସବୁକିଛି ଚାଲିଛି। କିନ୍ତୁ କେତେଜଣ ମନ୍ତ୍ରୀଙ୍କ ଦୋଷାତ୍ରୁଟି ଏଥିରେ ଘଟାଇଛି ବ୍ୟତିକ୍ରମ। ସରକାର ସମାଲୋଚନାର ଶିକାର ହୋଇଛନ୍ତି। ତଥାପି କାର୍ଯ୍ୟାନୁଷ୍ଠାନ ହୋଇନି। କାରଣ ସମୟ ଆସିନଥିଲା। ତରବରିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ସରକାର ଆହୁରି ବଦନାମ ହୋଇଥାନ୍ତେ। ବିରୋଧୀଙ୍କୁ ମିଳିଥାନ୍ତା ଫାଇଦା। ଏବେ ସମୟ ଆସିଗଲାଣି। ଚର୍ଚ୍ଚା ହେଉଛି ନୂଆବର୍ଷରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ। ସମ୍ଭବତ ବିଧାନସଭାର ବଜେଟ ଅଧିବେଶନ ପରେ ବୋଲି ଅନେକ ମତ ଦେଉଥିବା ବେଳେ କେତେକ କହୁଛନ୍ତି ପୂର୍ବରୁ ହୋଇପାରେ। ହେଲେ ଏହା ନିଶ୍ଚିତ ଯେ, ଏଥିପାଇଁ ସମୟ ପାଖେଇ ଆସୁଛି।

ଏବେ କଥା ଉଠୁଛି କିଏ ରହିବେ ଆଉ କିଏ ବିଦାହେବେ। ଏହା ସ୍ପଷ୍ଟ ହୋଇନଥିଲେ ହେଁ ଯେଉଁମାନେ ବିଭାଗ ପରିଚାଳନାରେ ଦକ୍ଷତା ପ୍ରତିପାଦନ କରିପାରି ନାହାଁନ୍ତି ସେମାନେ ହଟିବେ। ଏହି ତାଲିକାରେ ବିବାଦୀୟଙ୍କ ପାଳି ବି ପଡିପାରେ ବୋଲି କୁହାଯାଉଛି। ଯାହା ଖବର ଅଛି କେତେଜଣ ମନ୍ତ୍ରୀ ବିଭାଗ ବିଷୟରେ ଜାଣିପାରୁ ନାହାଁନ୍ତି। ଆଉ କେତେଜଣ ଅଧିକ କଥା କହି ଅଡୁଆ ସୃଷ୍ଟି କରୁଛନ୍ତି। ନୂଆବର୍ଷରେ ଏଇ ମନ୍ତ୍ରୀମାନେ ହଟିବା ପ୍ରାୟ ନିଶ୍ଚିତ।

ସେହିପରି ମନ୍ତ୍ରିମଣ୍ଡଳ ଅଦଳବଦଳ କଲେ ନବୀନ କାହାକୁ ସାମିଲ କରିବେ। ରାଜନୈତିକ ମହଲରେ ଆଲୋଚନା ହେଉଛି ଦଳପାଇଁ କାମ କରୁଥିବା ନେତାଙ୍କୁ ମିଳିବ ଅଗ୍ରାଧିକାର। ତେବେ ଯେଉଁମାନେ ୨୦୨୯ ବିଧାନସଭା ନିର୍ବାଚନ ଏବଂ ଉପନିର୍ବାଚନରେ ଅନ୍ତର୍ଘାତୀ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବନି। ଏହି ମାନଦଣ୍ଡରେ ଯଦି ଯୋଗ୍ୟତା ବିବେଚନା କରାଯାଏ ତେବେ ଦକ୍ଷତା ଥାଇ ମଧ୍ୟ ଅନେକ ନେତାଙ୍କୁ ନିରାଶ ହେବାକୁ ପଡିବ। ତେବେ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ନବୀନ ତାଙ୍କ ନୂଆ ଟିମରେ କାହାକୁ ସାମିଲ କରୁଛନ୍ତି ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *