April 3, 2020

କରୋନା ମୁକାବିଲା : ଖବର କାଗଜ ନିରାପଦ କି ?

ଭୁବନେଶ୍ଵର : ବିଶ୍ଵରେ ଦେଖାଦେଇଛି କରୋନା ଭାଇରସର ଆତଙ୍କ। ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଲୋକେ ମନରେ ଭୟ ସୃଷ୍ଟି ହୋଇଛି। ମୁକାବିଲା ପାଇଁ ଓଡିଶା ସରକାର ନେଇଛନ୍ତି ଅନେକ ପଦକ୍ଷେପ। ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ବହୁ କଟକଣା ଲଗାଯାଇଛି। କିନ୍ତୁ ଗୋଟିଏ ଦିଗପ୍ରତି ସରକାରଙ୍କର ନଜର ନାହିଁ। ହାଟ ବଜାର ବନ୍ଦ କରି ଦିଆଯାଇଥିବା ବେଳେ ଖବର କାଗଜ ହାଟ ପୂର୍ବପରି ଚାଲିଛି। ହଜାର ହଜାର ହକର ବା ଖବର କାଗଜ ବିତରକ ଏକାଠି ହେଉଛନ୍ତି। ଘରେ ନେଇ ଦେଇଛନ୍ତି କାଗଜ। ଯଦି ଏମାନଙ୍କ ମାଧ୍ୟମରେ କାରୋନା ବ୍ୟାପେ ତେବେ ପରିସ୍ଥିତି ଅଣାୟତ ହେବ ବୋଲି ଚର୍ଚ୍ଚା ହେଲାଣି। ଯେଉଁମାନେ ଏଭଳି ଆଶଂକା କରିଛନ୍ତି ସେମାନଙ୍କର ଯୁକ୍ତି ହେଲା ଟଙ୍କା ଧରିଲେ ହାତ ଧୋଇବାକୁ ଭାରତୀୟ ବ୍ୟାଙ୍କ ଆସୋସିଏସନ ବ୍ୟାଙ୍କ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛି। ଆଉ କହିଛି ଗ୍ରାହକମାନେ ବ୍ୟାଙ୍କକୁ ନଆସି ଅନ୍ ଲାଇନ ଟ୍ରାଞ୍ଜେକସନ କରନ୍ତୁ। ବ୍ୟବହାର କରନ୍ତୁ ଡେବିଟ ଓ କ୍ରେଡିଟ କାର୍ଡ଼। ଯଦି ଟଙ୍କାରେ କରୋନା ବ୍ୟାପିବାର ଭୟ ରହିଛି ତେବେ ଖବର କାଗଜ ନିରାପଦ ବୋଲି କୁହାଯାଇ ପାରିବ କି ? ଈଶ୍ଵରଙ୍କ କୃପାରୁ ଓଡ଼ିଶା ଉପରୁ ବିପଦ ହଟିଯାଉ। ହେଲେ ସରକାର ଏଥିପ୍ରତି ସଚେତନ ରହନ୍ତୁ। ନଚେତ ‘ବାର ବର୍ଷର ତପ ଶୁଖୁଆ ଝୋଳରେ ଯିବାପରି’ ସବୁ ପଦକ୍ଷେପ ଅକାରଣ ହୋଇଯିବ ବୋଲି ମତ ପ୍ରକାଶ ପାଉଛି।

ପ୍ରାଣଘାତୀ ଭାଇରସ କରୋନା ଏବେ ବିଶ୍ଵ ପାଇଁ ଚିନ୍ତାର କାରଣ ହୋଇଛି। ଏହି ଭାଇରସ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପିଚାଲିଥିବା ବେଳେ ପ୍ରତିଦିନ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଭାରତରେ ବି କରୋନା କାୟା ବିସ୍ତାର କଲାଣି। କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ପ୍ରୟାସ ଜାରି ରଖିଛନ୍ତି। ସାମାଜିକ ଦୂରତାକୁ ଗୁରୁତ୍ଵ ଦେଇ ନେଇଛନ୍ତି ଅନେକ ପଦକ୍ଷେପ। ବିଭିନ୍ନ କ୍ଷେତ୍ରରେ ଲାଗୁ ହୋଇଛି କଟକଣା। ଓଡିଶାର ୫ଟି ଜିଲ୍ଲା ଓ ୮ଟି ସହରକୁ କରାଯାଇଛି ସପ୍ତାହକ ପାଇଁ ଲକ୍ ଡାଉନ୍। ଗାଡି ଚଳାଚଳ ଉପରେ ଲାଗିଛି ରୋକ୍। ଖାଦ୍ୟ ପଦାର୍ଥ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ଦୋକାନକୁ ବାଦଦେଲେ ମଲ୍, ହୋଟେଲ ଓ ଅନ୍ୟାନ୍ୟ ବ୍ୟବସାୟିକ ଅନୁଷ୍ଠାନକୁ ବନ୍ଦ କରିଦିଆଯାଇଛି। ଧାର୍ମିକ ଅନୁଷ୍ଠାନକୁ ଯିବାକୁ ମନା ହୋଇଛି। ଏ ସବୁକୁ ସବୁ ମହଲ ସ୍ଵାଗତ କରୁଛନ୍ତି। କରୋନାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ଏପରି ଅନେକ ଆଗୁଆ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ହେଲେ ଆହୁରି କଡା ଆଭିମୁଖ୍ୟର ଆବଶ୍ୟକତା ରହିଛି। ଏହାବ୍ୟତୀତ କରୋନା ସମ୍ପର୍କରେ ଜନ ସଚେତନତା ପାଇଁ ରାଜନୈତିକ ଦଳର ହ୍ଵାଟସ୍ ଆପ୍ ଗ୍ରୁପକୁ ବ୍ୟବହାର କରାଯାଉ। ଏହା ମାଧ୍ୟମରେ ସଚେତନତା ବାର୍ତ୍ତା ଗାଁ’ ଗହଳିରେ ପହଞ୍ଚିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *