April 3, 2020

କରୋନାର ୪୦ଟି ରୂପ ବୈଜ୍ଞାନିକଙ୍କ ପାଇଁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ଜୀବନ ନାଶକାରୀ କରୋନା ଭାଇରସ ଏବେ ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି। ଏହାର ମୁକାବିଲା ପାଇଁ କୌଣସି ଔଷଧ ଆଜି ପର୍ଯ୍ୟନ୍ତ ବାହାରି ନାହିଁ। ଯେଉଁଥି ପାଇଁ କରୋନାର ଗତିରୋଧ କରାଯାଇପାରୁନି। ୧୯୫ ଦେଶ ଏବେ କରୋନା ପାଇଁ ଚିନ୍ତିତ। ଦିନକୁ ଦିନ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚିଲିଛି।

କରୋନା ଏବେ ସମଗ୍ର ମାନବଜାତି ପାଇଁ ବିପଦ ସୃଷ୍ଟି କରିଛି। ବୈଜ୍ଞାନିକମାନଙ୍କ କରୋନା ଚ୍ୟାଲେଞ୍ଜ ହୋଇ ଛିଡା ହୋଇଥିବା ବେଳେ ଏହି ଭାଇରସକୁ ନେଇ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଯାହା ବୈଜ୍ଞାନିକମାନଙ୍କ ଚିନ୍ତାକୁ ଆହୁରି ବଢାଇଦେବ। ଆଇସଲାଣ୍ଡର କିଛି ଗବେଷକ କରୋନା ଭୂତାଣୁର ୪୦ଟି ରୂପକୁ ଠାବ କରିଛନ୍ତି। ଅର୍ଥାତ୍‌ ସେମାନଙ୍କୁ ମିଳିଛି ୪୦ଟି ମ୍ୟୁଟେସନ୍‌ର ସନ୍ଧାନ। ସେମାନେ କରୋନାରେ ଆକ୍ରାନ୍ତ ରୋଗୀଙ୍କ ଉପରେ ଗବେଷଣା କରି ଏହି ତଥ୍ୟ ହାସଲ କରିଛନ୍ତି।

ବିଜ୍ଞାନରେ ମ୍ୟୁଟେସନ କହିଲେ କୌଣସି ଜୀବର କୋଷିକାରେ ଥିବା ଜିନ୍‌ର ସଂରଚନାରେ ବାରମ୍ବାର ଆସୁଥିବା ପରିବର୍ତ୍ତନକୁ ବୁଝାଏ। ଜୀବମାନେ ପରିବେଶ ସହିତ ଖାପ ଖୁଆଇବା ପାଇଁ କିମ୍ବା ନୂତନ କ୍ଷମତା ବିକଶିତ କରିବା ପାଇଁ ନିଜର ଜିନ୍‌ ସଂରଚନାକୁ ଏଭଳି ଭାବେ ବଦଳାଇ ଥାଆନ୍ତି। କିନ୍ତୁ କରୋନା ଭାଇରସ ଏବେ ତାହା ହିଁ କରୁଛି। ସେ ବିଭିନ୍ନ ପରିବେଶ ସହିତ ଖାପଖୁଆଇବା ପାଇଁ ନିଜର ଜିନ୍‌ ସଂରଚନାକୁ ବଦଳାଇ ଦେଉଛି। ଏମିତିକି ନୂଆ ନୂଆ କ୍ଷମତା ବିକଶିତ କରିବା ପାଇଁ ସେ ଏଭଳି କରୁଛି। ଗୋଟିଏ ଭାଇରସର ୪୦ ପ୍ରକାର ମ୍ୟୁଟେସନ ଠାବ କରାଯିବା ସାଧାରଣ କଥା ନୁହେଁ। ଏହାହେଲେ ଏହି ଭାଇରସକୁ ନିପାତ କରିବା କଷ୍ଟକର ହୋଇପଡିବ। କାରଣ କରୋନାର ନିପାତ ପାଇଁ ଔଷଧ ପ୍ରସ୍ତୁତ ବେଳକୁ ସେ ଆହୁରି ନୂଆ ନୂଆ କ୍ଷମତା ବିକଶିତ କରିଦେଇଥିବ।

ସ୍ଥଳବିଶେଷରେ ବୈଜ୍ଞାନିକମାନଙ୍କ ଏପରି ଦାବି ସତ ମନେ ହେଉଛି। କାହିଁକି ନାଁ’ ବିଭିନ୍ନ ଦେଶରେ କରୋନା ବ୍ୟାପୁଥିଲେ ମଧ୍ୟ ସବୁ ଦେଶରେ ତାହାର କୋଷିକାର ସଂରଚନା ସମାନ ନୁହେଁ। ଉଦାହରଣ ହେଲା ଭାରତରେ କରୋନାର ଯେଉଁ ଷ୍ଟ୍ରେନ ବ୍ୟାପୁଛି, ତାହା ୟୁରୋପ ଓ ଏସିଆ ମହାଦେଶରେ ବ୍ୟାପୁଥିବା କରୋନାର ଷ୍ଟ୍ରେନ ଭଳି ଏତେଟା ମାରାତ୍ମକ ଓ ସଂକ୍ରାମକ ନୁହେଁ। ଏହା କହିଛନ୍ତି ଆମେରିକାର ଜଣେ ଗବେଷକ। ତେଣୁ ଭାରତରେ ଏହାକୁ ସହଜରେ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସେ ମତ ଦେଇଛନ୍ତି। କିନ୍ତୁ ଚୀନ୍‌ ଓ ଇଟାଲୀରେ ଏହି ଭାଇରସର ଷ୍ଟ୍ରେନ କେବଳ ବୟସ୍କ ଲୋକଙ୍କୁ ଅଧିକ ମାତ୍ରାରେ ଶିକାର କରୁଥିଲା। ଫ୍ରାନ୍ସରେ ଯୁବବର୍ଗଙ୍କୁ ଟାର୍ଗେଟ କରୁଛି।

ଆଇସଲ୍ୟାଣ୍ଡରେ ଏବେ ୬୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ। ସେଠାରେ କରୋନାର ଯେଉଁ ଷ୍ଟ୍ରେନଗୁଡିକ ଠାବ କରାଯାଇଛି ତାହା ତିନୋଟି ଦେଶ ଇଟାଲୀ, ଅଷ୍ଟ୍ରିଆ ଓ ବ୍ରିଟେନରୁ ସେଠାକୁ ଯାଇଥିବା ଜଣାପଡିଛି। ବ୍ରିଟେନର ଏକ ଷ୍ଟାଡିୟମରେ ଫୁଟବଲ୍‌ ମ୍ୟାଚ୍‌ ଦେଖୁଥିଲା ବେଳେ ଆଇସଲ୍ୟାଣ୍ଡର ୭ ଜଣ ନାଗରିକ କରୋନାରେ ସଂକ୍ରମିତ ହୋଇଥିଲେ। ଏବେ ବ୍ୟାପକ ମାତ୍ରାରେ ବ୍ୟାପୁଥିବାରୁ ସେଠାକାର ବୈଜ୍ଞାନିକମାନେ ଏହାର ଜିନ୍‌ ସଂରଚନାର ଅଧ୍ୟୟନ ଉପରେ ମନୋନିବେଶ କରୁଛନ୍ତି। ଯାହା ଫଳରେ ଏହାକୁ ନିପାତ କରିବାର ଉପାୟ ବାହାରି ପାରିବ।

Leave a Reply

Your email address will not be published. Required fields are marked *