ହସୁଛି କରୋନା, କାନ୍ଦୁଛି ଦାଦନ

କରୋନା ଯନ୍ତ୍ରଣାରେ କାନ୍ଦୁଛନ୍ତି ଦାଦନ। ଗତ ଦୁଇ ମାସ ହେଲା ଆଖିର ଲୁହ ପାଟିରେ ପିଇ ଘରକୁ ଫେରିବା ବାଟକୁ ଚାହିଁ ବସିଛନ୍ତି। ଯିଏ ଫେରିଛି ସେମାନେ ଅପବାଦ ମୁଣ୍ଡାଉଛନ୍ତି, ଆଉ ଯିଏ ଫେରିପାରୁନାହିଁ ଭୋକ ଉପାସରେ ଦିନ କାଟୁଛନ୍ତି। ମହାମାରୀ କରୋନାର କରାଳ ରୂପରେ ହନ୍ତସନ୍ତ ହେଉଛନ୍ତି ପ୍ରବାସୀ। କେବେ ଲକଡାଉନ୍ ଖୋଲିବ ଏମାନଙ୍କ ଦୁଃଖ ସରିବ, ତାକୁ ଆଶା ବାନ୍ଧି ବସିଛନ୍ତି ଦାଦନ ଖଟିବାକୁ ଯାଇଥିବା ପ୍ରବାସୀମାନେ।

କରୋନା ମହାମାରୀ ଅନ୍ତର୍ଜାତୀୟ ବିପର୍ଯ୍ୟୟ ଘୋଷଣା ହୋଇଥିବା ବେଳେ ସାରା ଭାରତ ବର୍ଷରେ ଜାରି ହୋଇଛି ଲକଡାଉନ୍ । ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ବେଳେ କେନ୍ଦ୍ର ସରକାର ଯିଏ ଯେଉଁଠି ରହିଛନ୍ତି ସେହିଠାରେ ରହିବାକୁ ନିୟମ କରିଥିଲେ। ବହୁ ସମସ୍ୟା ଓ ଆଶଙ୍କା ଭିତରେ ଲୋକେ ଘରୁ ନବାହାରି ଘର ଭିତରେ ରହି କୋଭିଡ-୧୯ର ଚେନ ଭାଙ୍ଗିବାରେ ସରକାରଙ୍କୁ ସାହାର୍ଯ୍ୟ କଲେ । ତେବେ ସବୁଠୁ ବେଶୀ ସମସ୍ୟାରେ ପଡିଲେ ପ୍ରବାସୀ ଶ୍ରମିକମାନେ । ଯେଉଁମାନେ ଘରଛାଡି ରୋଜଗାର ପାଇଁ ହଜାର ହଜାର କିଲୋମିଟର ଦୂର ପ୍ରବାସରେ ରହି ଶ୍ରମିକ ଭାବରେ କାମ କରି ନିଜ ପେଟ ପୋଷୁଥିଲେ ସେମାନଙ୍କ କାମଧନ୍ଦା ବନ୍ଦ ହୋଇଗଲା। ଗାଡି ମୋଟର, ଟ୍ରେନ ଆଦି ସବୁ ଗମନାଗମନକୁ ବନ୍ଦ କରି ଦିଆଗଲା । ସେମାନଙ୍କ ପାଖରେ ଯାହା ସମ୍ବଳ ଥିଲା ମାତ୍ର କେଇଟା ଦିନରେ ସରିଗଲା । କାମ ବନ୍ଦ ଥିବାରୁ ମାଲିକ ସେମାନଙ୍କ ଦୁଃଖ ବୁଝିଲେ ନାହିଁ । ଭଡାଘରୁ ଘର ମାଲିକ ସେମାନଙ୍କୁ ବାହାର କରିଦେଲେ । ଶ୍ରମିକମାନେ ଅସୁରକ୍ଷିତ ଭାବରେ ଛୁଆପିଲା ଧରି ବାହାରି ଆସିଲେ ରାସ୍ତାକଡ଼କୁ।

Baripada News 1

କିଛି ଦିନରେ ପରିସ୍ଥିତି ସ୍ଵାଭାବିକ ହୋଇଯିବ ଭାବି ସବୁ ସମ୍ଭାଳି ନେବାକୁ ବସିଥିବା ବେଳେ ପ୍ରଧାନମନ୍ତ୍ରୀ ଲାଗୁ କଲେ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ । ଆହୁରି କଡାକଡି ହେଲା ନିୟମ । ଏଣେ କରୋନା ସଂକ୍ରମଣ ଭୟଠାରୁ ବଢିଗଲା ପେଟର ଭୋକ । ନିଜର ତଥା ନିଜ ପରିବାରର ଅସୁରକ୍ଷିତ ଅବସ୍ଥା ସେମାନଙ୍କୁ କରିଦେଲା ବିଚଳିତ। ପ୍ରବାସୀ ଶ୍ରମିକମାନେ କିଏ ସାଇକେଲରେ, କିଏ ଟ୍ରଲିରେ, କିଏ ଚାଲିଚାଲି, କିଏ ମାଲବାହି ଗାଡି ଯିଏ ଯାହା ସାଧନ ପାଇଲା ତାକୁ ପାଥେୟ କରି ଭୋକିଲା ପେଟରେ ଚାଲିଲେ ମାଇଲ ମାଇଲ ବାଟ । ବାସ୍ତବରେ ଏହା ବହୁ ହୃଦୟଥରା କରୁଣ ଦୃଶ୍ୟ । ବାଟରେ ଚାଲୁଚାଲୁ କେତେ ଲୋକଙ୍କ ଜୀବନ ବି ଗଲା ।

ପୁଣି ଏହି ସମସ୍ୟା ତୃତୀୟ ପର୍ଯ୍ୟାୟ ଲକଡାଉନ୍ ବେଳକୁ ଆହୁରି ବଢିଗଲା । ସରକାର ରାଜ୍ୟ ସରକାରମାନଙ୍କୁ ନିଜ ନିଜ ରାଜ୍ୟର ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବାର ନିୟମ କଲେ । ନିୟମ ଅନୁଯାୟୀ କଟକଣା ଭିତରେ ସବୁ ଶ୍ରମିକ ନା ପାଇଲେ ସ୍ୱତନ୍ତ୍ର ଟ୍ରେନ ନା ସ୍ୱତନ୍ତ୍ର ବସ । ପୁଣି ବସରେ ଆସିବାରୁ ଅଧିକ ସଂକ୍ରମଣର ଭୟ ରହିବାରୁ ଟ୍ରେନରେ ସାମାଜିକ ଦୂରତା ବଜାୟ ରଖାଯାଇ ପାରିବ ବୋଲି କହି ଟ୍ରେନରେ ଆସିବାକୁ ନିୟମ କରାଗଲା । ତା ମଧ୍ୟରେ ହାଇକୋର୍ଟ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଆଣିବାକୁ କଟକଣା ଲଗାଇଲେ । ଅବଶ୍ୟ ଗୋଟିଏ ଦିନ ପରେ ସୁପ୍ରିମକୋର୍ଟ କଟକଣାକୁ କହୋଳ କରିଦେଇଥିଲେ । ତେବେ ଯାହାବି ହେଉନା ଅଦ୍ୟାବଧି ସାରା ଦେଶରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଦୟନୀୟ ଅବସ୍ତାରେ ନିଜ ନିଜ ରାଜ୍ୟକୁ ଫେରିବାର ଦେଖାଯାଉଛି । ମାଲ ବୋଝେଇ ଟ୍ରକ ଉପରେ, ସାଇକେଲରେ, ପାଦରେ ଚାଲିଚାଲି ଅସୁରକ୍ଷିତ ଭାବରେ ଫେରୁଛନ୍ତି ନିଜର ଜନ୍ମମାଟିକୁ ।

ଦେଶ ନିର୍ମାଣରେ ଶ୍ରମିକମାନଙ୍କୁ ବିଶ୍ୱକର୍ମା କୁହାଯାଉଥିବା ବେଳେ ଆଜି କରୋନା ଏମାନଙ୍କୁ ଦିଗହରା କରାଇ ଦେଇଛି। ସେପଟେ ଏମାନଙ୍କୁ ଥଇଥାନ କରାଇବାରେ ସରକାର ବିଫଳ ହୋଉଥିବା ସାଧାରଣରେ ଆଲୋଚନା ହେଉଛି।

ମତାମତ ଦିଅନ୍ତୁ ।