ପାଇଖାନାରେ ବିତୁଛି ବୃଦ୍ଧାଙ୍କ ଜୀବନ

ନବରଙ୍ଗପୁର: ପାଇଖାନା ପାଲଟିଛି ବାସଗୃହ। ରୋଷେଇ ଓ ଖାଇବା ପିଇବା ବି ସେଇଠାରେ। ରହିବା ପାଇଁ ଘର ଖଣ୍ଡେ ନଥିବାରୁ ଏହିଭଳି ଜୀବନ ବିତାଉଛନ୍ତି ଜଣେ ୭୧ ବର୍ଷ ଅୟସ୍କା ବୃଦ୍ଧା। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଘୋଡ଼ାଖୁଂଟା ପଚାଂୟତର କୋହକାଗୁଡ଼ା ଗ୍ରାମରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।

ଗରିବଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। କିନ୍ତୁ ସମସ୍ତଙ୍କ ଯୋଜନାର ସୁଫଳ ପହଞ୍ଚି ପାରୁନି। ଏବେବି ସରକାରୀ ଯୋଜନାରୁ ବାଦ ପଡିଛନ୍ତି କିଛି ଅସହାୟ ଓ ଗରିବ। ଏହାର ଏକ ଉଦାହରଣ ନବରଙ୍ଗପୁର ଜିଲ୍ଲା ଡାବୁଗାଁ କୋହକାଗୁଡ଼ା ଗ୍ରାମରେ ୭୧ ବର୍ଷିୟା ବୃଦ୍ଧା ବୁଦ୍ରୀ ଭତ୍ରା। ଜୀବନର ଅପରାହ୍ନରେ ପହଞ୍ଚଥିବା ଏହି ବୟସ୍କା ମହିଳାଙ୍କର ଚମ ଧୁଡ଼ୁଧୁଡ଼ୁ ହୋଇଗଲାଣି। ଆଖିକୁ ଭଲ ଦେଖା ଯାଉନି। କଥା କହିଲା ବେଳକୁ ପାଟି ଖନି ମାରି ଯାଉଛି। କାହା ପାଖକୁ ନିଜ ଦୁଃଖକୁ କହିବାକୁ ଦେହରେ ବଳ ନାହିଁ। ସରକାରୀ ଯୋଜନା କ’ଣ ଜାଣି ନାହାନ୍ତି। କାହାରି ତାଙ୍କ ନଜର ପଡୁନି। ସ୍ୱାମୀଙ୍କ ମୃତ୍ୟୁ ପରେ ବୁଦ୍ରୀ ହୋଇ ଯାଇଛନ୍ତି ଏକା । ଆହା ବୋଲି କହିବାକୁ ତାଙ୍କ ପାଖରେ କେହି ନାହାନ୍ତି। ଏବଳି ଅବସ୍ଥାରେ ପାଇଖାନା ପାଲଟିଯାଇଛି ତାଙ୍କ ବାସଗୃହ। ସେଠାରେ ସେ ଅତ୍ୟନ୍ତ ଦୟନୀୟ ଭାବେ ଜୀବନ ବିତାଉଛନ୍ତି।

ପୂର୍ବରୁ ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ଦେବାକୁ ସରପଂଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ। ହେଲେ ଏ ପର୍ଯ୍ୟନ୍ତ କେହି ତାଙ୍କ ଦୁଃଖ ବୁଝି ନାହାନ୍ତି। ତେଣୁ ଭାଗ୍ୟକୁ ଆଦରି ପାଇଖାନାରେ ପଡ଼ି ରହିଛନ୍ତି।

ଏବେ ଗ୍ରୀଷ୍ମ ଋତୁ। କଷ୍ଟେମଷ୍ଟେ ପାଇଖାନାରେ ଚଳି ଯାଉଛନ୍ତି। ହେଲେ ଆଗକୁ ବର୍ଷା ଦିନ ଆସୁଛି। ଦୁଃଖ ଆହୁରି ବଳିଯିବ। ତେଣୁ ତାଙ୍କ ଚିନ୍ତା ବଢ଼ି ଯାଇଛି। କାରଣ ସାମାନ୍ୟ ବର୍ଷା ହେଲେ ପାଇଖାନା ଭିତରକୁ ପାଣି ପଶି ଯାଉଛି। ପୁଣି ସାପ ଭୟ ମଧ୍ୟ ରହିଛି। ଆଖିକୁ ଭଲ ଦେଖା ଯାଉନଥିବାରୁ ବିପଦ ଅଧିକ। ଏହି ବୃଦ୍ଧାଙ୍କୁ ଜିଲ୍ଲା ପ୍ରଶାସନ ତୁରନ୍ତ ସଯୋଗର ହାତ ବଢାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।

ମତାମତ ଦିଅନ୍ତୁ ।