କଂଗ୍ରେସ କରିବ ଲୋକପ୍ରିୟ ନେତାଙ୍କ ତାଲିକା

ସାରା ଦେଶରେ କଂଗ୍ରେସର ସ୍ଥିତି ଭଲନାହିଁ। ୨୦୧୪ ନିର୍ବାଚନ ପରଠାରୁ ଅନେକ ନେତା କଂଗ୍ରେସ ଛାଡି ଅନ୍ୟ ଦଳରେ ସାମିଲ ହୋଇସାରିଲେଣି। ଏବେ ବି ଏ ପ୍ରକ୍ରିୟା ବନ୍ଦ ହୋଇନି। ଏଭଳି ପରିସ୍ଥିତିରେ ଦଳ ଲୋକପ୍ରିୟ ନେତାଙ୍କୁ ଖୋଜିବ। ସେଥିପାଇଁ ୨୦୦୪ରୁ ୨୦୧୪ ମଧ୍ୟରେ କେଉଁମାନେ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ତାହାର ତାଲିକା କରାଯିବ। ଦଳର ବଡବଡିଆଙ୍କ ଏପରି ନିଷ୍ପତ୍ତି ସ୍ପଷ୍ଟ ସୂଚନା ଦେଉଛି ନେତାମାନଙ୍କର ଦଳ ସହିତ ସେତେଟା ସଂପର୍କ ନାହିଁ।

ନୂଆଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏଆଇସିସି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଧାରଣ ସଂପାଦକ କେସି ବେଣୁଗୋପାଳ ଉଠାଇଥିଲେ ଲୋକପ୍ରିୟ ନେତାଙ୍କ ପ୍ରସଙ୍ଗ। ସେ କହିଥିଲେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ଦଳୀୟ ସଭ୍ୟ ସଂଗ୍ରହ ଦାୟିତ୍ୱ କେଉଁ ନେତାମାନଙ୍କୁ ଦିଆଯିବ ତାହା ସ୍ଥିର ହେବା ଆବଶ୍ୟକ। ସେଥିପାଇଁ ଦଳର ଲୋକପ୍ରିୟ ତଥା ଭରସାଯୋଗ୍ୟ ନେତାଙ୍କ ସନ୍ଧାନ କରିବାକୁ ରାଜ୍ୟ କମିଟି ଗୁଡ଼ିକୁ ପରାମର୍ଶ ଦିଆଯାଇଛି। ୨୦୦୪ରୁ ଯେଉଁ କଂଗ୍ରେସ ନେତାମାନେ ଲୋକସଭା ଓ ରାଜ୍ୟସଭା ପାଇଁ ଦଳୀୟ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ ସେମାନଙ୍କର ଏକ ତାଲିକା କରାଯିବ। ରାଜ୍ୟ କମିଟି ଗୁଡ଼ିକୁ ଏହାର ଦାୟିତ୍ଵ ଦିଆଯାଇଛି।

ବର୍ତ୍ତମାନ ଚର୍ଚ୍ଚା ହେଉଛି କଂଗ୍ରେସରେ ତାଳମେଳ ନାହିଁ। ଚୋର ଯିବାପରେ ବୁଦ୍ଧି ଦିଶିବା ପରି ନିର୍ବାଚନରେ ଅବସ୍ଥା ଶୋଚନୀୟ ହେବାରୁ ଏବେ ଲୋକପ୍ରିୟ ତଥା ଭରସାଯୋଗ୍ୟ ନେତା ଖୋଜାପଡିଛି। ସେମାନେ ସଂଗଠନ ପାଇଁ କାମ କରିବେ କିନ୍ତୁ ଅନ୍ୟମାନେ ନେବେ ଫାଇଦା। ଏହି ନୀତି ପାଇଁ ଦଳ ନିମ୍ନଗାମୀ ହେଉଛି। ତଥାପି ସଦବୁଦ୍ଧି ଉଦୟ ହେଉନି। ତାହାଛଡା ଯେଉଁ ଦଳରେ ଲୋକପ୍ରିୟ ନେତା ଖୋଜା ପଡିଲାଣି ସେ ଦଳର ମୁଖିଆ ନୂଆ ସଦସ୍ୟଙ୍କୁ ଯୋଡି ସଙ୍ଗଠନକୁ କେତେ ମଜବୁତ କରିବେ ତାହା ସମୟ କହିବ। ତେବେ ଦେଖାଯାଉ ଆଗକୁ କଣ ହେଉଛି।

ମତାମତ ଦିଅନ୍ତୁ ।