ଦାମ ଏବେ ବିଜେପି ପାଇଁ ଅଲୋଡା !

ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନ ପାଇଁ ବିଜେପିର ପ୍ରକାଶ ପାଇଛି ଷ୍ଟାର ପ୍ରଚାରକ ତାଲିକା। ଏଥିରେ ଦଳର ଅନେକ କେନ୍ଦ୍ର ଓ ରାଜ୍ୟ ନେତାଙ୍କ ନାମ ରହିଛି। କିନ୍ତୁ ବରିଷ୍ଠ ନେତା ଦାମୋଦର ରାଉତଙ୍କ ନାଁ ନାହିଁ। ଦିନେ ଯେଉଁ ନେତା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିତ ନିର୍ବାଚନ ଲଢିବାକୁ ଦମ୍ଭ ଦେଖାଉଥିଲେ ତାଙ୍କୁ ଏବେ ବିଜେପି ଗୁରୁତ୍ଵ ଦେଇନି। ଅଲୋଡା ମନେକରି ଏକପ୍ରକାର ଦୂରେଇ ଦେଇଛି।

ରାଜ୍ୟ ବିଜେପିର ଏପରି ବ୍ୟବହାର ଦାମଙ୍କୁ ଦୁଃଖ ଦେଇଛି। କିନ୍ତୁ କହିବେ କାହାକୁ ? ନିଜେ କରିଥିବା କର୍ମର ଏ ହେଉଛି ଫଳ ବୋଲି ଲୋକେ କହୁଛନ୍ତି। ଦାମ ମଧ୍ୟ ଅନୁଭବ କଲେଣି ବିଜେପି ନେତାମାନେ ତାଙ୍କୁ ଆଉ ପଚାରିବେନି। ତେଣୁ ସେ ଦଳ ଉପରୁ ମୋହ ତୁଟାଇ ସାରିଲେଣି। ତାଙ୍କ କଥାବାର୍ତ୍ତାରେ ରହିଥିବା ଅସହାୟତା ଏହାହିଁ ସୂଚିତ କରୁଛି। ଆଜି ଦାମ ଗଣମାଧ୍ୟମକୁ କହିଛନ୍ତି ନିର୍ବାଚନର ପୂର୍ବକଥା ଓ ପରକଥା ଭିତରେ ଆକାଶପାତାଳ ପ୍ରଭେଦ ରହିଛି। ବିଜେପୁର ନିର୍ବାଚନ କଥା ମୁଁ ଗଣମାଧ୍ୟମରୁ ଜାଣିଲି। ନିର୍ବାଚନ ଲଢ଼ିବାକୁ ମୋର ଆଉ ବୟସ ନାହିଁ। ଯେଉଁ ଦଳ ମୋତେ ପଚାରୁନି ମୁଁ କ’ଣ ଗୋଡ଼େଇକି ପ୍ରାର୍ଥୀ ହେବି। ମୋର ସ୍ଥିତି ଦଳ ଅନୁଭବ କରୁନି ମୁଁ ଆଉ କ’ଣ କହିବି।

ସାଧାରଣ ଜୀବନରେ ଜଣେ ବ୍ୟକ୍ତି ପାଇଁ ଦଳ ଅନିବାର୍ଯ୍ୟ ନୁହେଁ। ନିର୍ବାଚନ ପରେ ରାଜ୍ୟ କିମ୍ବା କେନ୍ଦ୍ରରେ ଥିବା ବିଜେପିର କୌଣସି ନେତା ମୋ ସହ କଥା ହୋଇ ନାହାନ୍ତି। ମୋତେ କେହି ଡାକି ନଥିଲେ ମଧ୍ୟ ମୁଁ ଦୁଇ ଥର ମନକୁ ମନ ମିଟିଂକୁ ଯାଇଥିଲି। ମିଟିଂ ସରିଲା ପରେ ମୋତେ କେହି କିଛି କହିଲେନି, ମୁଁ ଆସିଲି। ମୁଁ ଆଉ ନିର୍ବାଚନ ରାଜନୀତି ପାଇଁ ଆଗ୍ରହୀ ନୁହେଁ। ତେବେ ଲୋକଙ୍କ ସହ ରହିବି ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।