ବିଜେପୁରରେ ଆସନ୍ତା କାଲି ଭୋଟ, ଜନତା ବାଛିବେ ପସନ୍ଦର ନେତା

ଭୁବନେଶ୍ୱର : ବିଜେପୁର ଉପ-ନିର୍ବାଚନ ପାଇଁ ଆସନ୍ତା କାଲି ଭୋଟ ଗ୍ରହଣ। ପସନ୍ଦର ନେତା ବାଛିବେ ବିଜେପୁରବାସୀ। କିନ୍ତୁ ବିଜେପୁର ବାଜି ଜିତିବା ପାଇଁ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ବିଜେଡି ନେତାମାନେ ଆଶାବାଦୀ। ହେଲେ ଜନମତ କାହା ସପକ୍ଷରେ ଯିବ ତାହା ଭୋଟ ଗଣତି ପରେ ଜଣାପଡିବ।

ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପରଲୋକ ହେବା ପରଠାରୁ (୧୮ ମାସ ମଧ୍ୟରେ) ବିଜେପୁରବାସୀ ତିନୋଟି ନିର୍ବାଚନ ଦେଖିଲେଣି। ସୁବଳଙ୍କ ପରେ ପତ୍ନୀ ରୀତା ସାହୁ ବିଜେଡ଼ିରୁ ପ୍ରାର୍ଥୀ ହୋଇ ଉପ ନିର୍ବାଚନ ଜିତିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଏହି ଆସନରୁ ଲଢି ବିଜୟୀ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ସେ ଦୁଇଟି ବିଧାନସଭା କ୍ଷେତ୍ରରୁ ଜିତିବା ଯୋଗୁ ବିଜେପୁର ଆସନଟି ଛାଡିଥିଲେ। ନବୀନଙ୍କ ଇସ୍ତଫା ପରେ ଏଠାରେ ହେଉଛି ଉପ-ନିର୍ବାଚନ। ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ଓ ବିଜେପି ପାର୍ଥୀ ହୋଇଛନ୍ତି ସନତ କୁମାର ଗଡ଼ତିଆ।

ଗତକାଲି ସନ୍ଧ୍ୟାରେ ପ୍ରଚାର ସରିଛି। ତିନି ଦଳର ହେବିୱେଟ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ପ୍ରତିଶ୍ରୁତି ଓ ପ୍ରତାରଣା କଥା ବି ଉଠିଛି। କିନ୍ତୁ କାହା ସପକ୍ଷରେ ଜନମତ ଯିବ ତାହା ଏଇ ନେତାମାନଙ୍କୁ ଜଣା। ଭୋଟର ସେମାନଙ୍କ କଥାରେ କେତେ ପ୍ରଭାବିତ ହୋଇଛନ୍ତି ସେମାନେ ହିଁ ଆକଳନ କରିପାରିବେ। ରାତି ପାହିଲେ ଭୋଟ। ଲୋକେ ବାଛିବେ ତାଙ୍କ ଜନ ପ୍ରତିନିଧି। ହେଲେ ଏହା ପୂର୍ବରୁ ତିନି ଦଳର ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ନେଇ ବାହାସ୍ଫୋଟ ମାରିଥିବା ବେଳେ ବିଜେପୁର ଭୋଟର କେଉଁ ଦଳ ସପକ୍ଷରେ ମତ ଦେଉଛନ୍ତି ତାହା ୨୪ ତାରିଖରେ ଜଣାପଡିବ।

ମତାମତ ଦିଅନ୍ତୁ ।