ଦାମଙ୍କ ସ୍ଵର ବଦଳିଲା: ନବୀନଙ୍କୁ କହିଲେ ଅପରାଜେୟ ନେତା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ନେତୃତ୍ଵାଧୀନ ସରକାର ବିରୋଧରେ ମନ୍ତବ୍ୟ ଦେଇ ବିଜେଡ଼ିରୁ ବହିଷ୍କାର ହୋଇଥିଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଯାଇ ନବୀନଙ୍କୁ ସରକାରରୁ ହଟାଇବା ପାଇଁ ଦମ୍ଭୋକ୍ତି ପ୍ରକାଶ କରିଥିଲେ। ବିଜେପିର ଷ୍ଟାର ପ୍ରଚାରକ ହୋଇ ବିଭିନ୍ନ ସଭାସମିତିରେ ରାଜ୍ୟ ସରକାରଙ୍କ ବିରୋଧରେ ଆଣିଥିଲେ ଦୁର୍ନୀତି ଅଭିଯୋଗ। କିନ୍ତୁ ଏବେ ସ୍ଵର ବଦଳାଇଛନ୍ତି। ବିଜେପୁର ଉପ ନିର୍ବାଚନ ଭୋଟ ଗ୍ରହଣର ମାତ୍ର କିଛିଦିନ ଆଗରୁ ବିଜେପିରୁ ଇସ୍ତଫା ଦେଇଥିବା ଦାମ ଆଜି ନବୀନଙ୍କୁ କହିଛନ୍ତି ଲୋକପ୍ରିୟ ଓ ଅପରାଜେୟ ନେତା। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଲୋକେ କହୁଛନ୍ତି ନିଜର ଲୋକପ୍ରିୟତା ପରଖିବା ପରେ ଦାମ ବିଜେଡ଼ିକୁ ଫେରିବା ପାଇଁ ଏହି ପନ୍ଥା ଆପଣେଇଛନ୍ତି।

ଶନିବାର ବିଜେପୁର ଉପନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଜେପି ନେତା ଦାମୋଦର ରାଉତ ଦାମ। ସେ କହିଛନ୍ତି ଓଡ଼ିଶାରେ ଜାତୀୟ ଦଳ ଅପେକ୍ଷା ଆଞ୍ଚଳିକ ଦଳ ଓ ନେତାଙ୍କୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ନିର୍ବାଚନ ଫଳାଫଳରୁ ଜଣାପଡୁଛି ନବୀନ ହେଉଛନ୍ତି ଅପରାଜେୟ। ନବୀନଙ୍କୁ ଲୋକେ ପ୍ରିୟତମ ନେତା ଭାବୁଥିବା ପ୍ରମାଣିତ ହୋଇଛି।

ଆପଣ ବିଜେଡି ଆଡ଼କୁ ଢଳୁଛନ୍ତି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ଦାମ କହିଛନ୍ତି ବିଜେଡି ପ୍ରତି ମୋ ମନ କେବେ ବିମୁଖ ଥିଲା କି ? ବିଜୁ ବାବୁ ମୋତେ ରାଜନୀତିକୁ ଆଣିଥିଲେ। ନବୀନଙ୍କ ସହ କାମ କରିଛି। ବିଜେଡିକୁ ମୁଁ ଛାଡ଼ିନି, ବିଜେଡି ମତେ ବହିଷ୍କାର କରିଛି। କେବଳ ସେତିକି ନୁହେଁ, ଦାମ କହିଛନ୍ତି ମୁଁ ନେତାଙ୍କ ବିରୋଧରେ କହିନି, ଦୁର୍ନୀତି ବିରୋଧରେ କହିଛି।

ବିଜେପିରେ ଯୋଗ ଦେବାର ୭ ମାସ ପରେ ଦଳ ବିରୋଧରେ ଦାମ ଆଣିଥିଲେ ଅବହେଳା ଓ କୋଣଠେସା ଅଭିଯୋଗ। ତାଙ୍କୁ ବିଜେପିରେ କେହି ପଚାରୁ ନାହାନ୍ତି ବୋଲି କହିଥିଲେ। ନବୀନଙ୍କ ଜନ୍ମ ଦିନରେ ବିଜେପି ଛାଡ଼ିଥିବା ଦାମ ବିଜେଡି ସୁପ୍ରିମୋ ନବୀନଙ୍କ ସପକ୍ଷରେ ମତ ରଖିବା କିଛି ଭିନ୍ନ ସନ୍ଦେଶ ଦେଉଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ମତାମତ ଦିଅନ୍ତୁ ।