ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନ ପ୍ରବେଶ ମନା

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ରାଜଧାନୀ ଭୁବନେଶ୍ଵରର କୌଣସି ଧାର୍ମିକ ଅନୁଷ୍ଠାନକୁ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ। କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଭୁବନେଶ୍ୱର ମହାନଗର ନିଗମ ଏହି କଟକଣା ଲଗାଇଛି।

ମଙ୍ଗଳବାର ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଭୁବନେଶ୍ୱରରେ କରୋନା ପଜିଟିଭ୍ ସଂଖ୍ୟା ବଢ଼ିଛି। ତେଣୁ ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନକୁ ଦେଇଥିବା କ୍ଷମତାର ଉପଯୋଗ କରି ବିଭିନ୍ନ ଧର୍ମାନୁଷ୍ଠାନର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛୁ। ବର୍ତ୍ତମାନ ପାଇଁ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାର ଆଦିରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି। ତେବେ ଦୈନନ୍ଦିନ ନୀତିକାନ୍ତି ପାଇଁ ଦିଆଯାଇଛି ଅନୁମତି। ଆଗାମୀ ଦିନରେ ସ୍ଥିତିକୁ ଦେଖି ଧର୍ମାନୁଷ୍ଠାନ ଗୁଡ଼ିକୁ ଖୋଲିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ଏହାଛଡା ବିଏମ୍‌ସି ଜାରି କରିଥିବା ଗାଇଡ୍‌ ଲାଇନ୍‌ ଅନୁଯାୟୀ ଧର୍ମାନୁଷ୍ଠାନର ନୀତିକାନ୍ତି ପାଇଁ ଉପସ୍ଥିତ ପୂଜକ ଓ କର୍ମଚାରୀ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ ରକ୍ଷା କରିବେ। ପୂଜକ ଓ ଅନ୍ୟ କର୍ମଚାରୀ ଧର୍ମାନୁଷ୍ଠାନରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରିବାକୁ ତଥା ହାତ ଧୋଇବାକୁ ହ୍ୟାଣ୍ଡୱାସ୍ ରଖିବାକୁ ପରିଚାଳନା କମିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button