ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ

ପୁରୀ : ଆସନ୍ତା ମାସରେ ହେବ ଶ୍ରୀଜିଉଙ୍କ ଦିବ୍ୟ ଦୁର୍ଲଭ ନାଗାର୍ଜୁନ ବେଶ। ସେଥିପାଇଁ ଆଜି ବିଜୟାଦଶମୀ ଅବସରରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଛତିଶାନିଯୋଗ ନାୟକ ପାଟ୍ଟଯୋଶୀ ମହାପାତ୍ର ଓ ସମସ୍ତ କାରିଗରଙ୍କ ଉପସ୍ଥିତିରେ ପ୍ରସ୍ତୁତି ପୂଜା ଆରମ୍ଭ ହୋଇଥିବା ଜଣାପଡିଛି।

ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ହେବ ଦୁର୍ଲଭ ନାଗାର୍ଜୁନ ବେଶ। ଏହି ବେଶ ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି। କୋଭିଡ୍ କଟକଣା ଯୋଗୁଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିଛି। ତେବେ ନାଗାର୍ଜୁନ ବେଶ ଦର୍ଶନ ପାଇଁ ସରକାର କିଛି ବ୍ୟବସ୍ଥା କରିବେ ବୋଲି ଭକ୍ତ ଓ ଜଗନ୍ନାଥ ସଂସ୍କୃତି ପ୍ରେମୀ ଆଶା ରଖିଛନ୍ତି। ନାଗାର୍ଜୁନ ବେଶରେ ଶ୍ରୀଜିଉ ମସ୍ତକରେ ହାଣ୍ଡିଆ, ହାତରେ ଛୁରି କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ। ଚଳିତବର୍ଷ ପଞ୍ଚକ ୫ ଦିନ ବଦଳରେ ୬ ଦିନ ପଡୁଥିବାରୁ ବିଧି ଅନୁସାରେ ମଳ ଦ୍ୱାଦଶୀରେ ମହାପ୍ରଭୁଙ୍କ ଏହି ବେଶ ହେବ।

ମତାମତ ଦିଅନ୍ତୁ ।