ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ସମୟରେ ଲାଗୁ ହେବ ୧୪୪ ଧାରା

ଭୁବନେଶ୍ଵର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ପର୍ବ ରୁକୁଣା ରଥଯାତ୍ରା ଚଳିତ ବର୍ଷ କରୋନା କଟକଣା ଭିତରେ ଅନୁଷ୍ଠିତ ହେବ। ଏଥିପାଇଁ ଜାରିହେବ କଟକଣା। ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହେବ ବୋଲି ଜଣାପଡିଛି।

ଖବର ଅନୁଯାୟୀ ଶନିବାର ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିନା ଶ୍ରଦ୍ଧାଳୁରେ ରଥଯାତ୍ରା ସମାପନ ନେଇ ଆଲୋଚନା ହୋଇଛି। ଏହି ଭର୍ଚୁଆଲ ବୈଠକରେ ଲିଙ୍ଗରାଜ ସେବାୟତ ଓ ଲିଙ୍ଗରାଜ ମନ୍ଦିର କମିଟିର ସଦସ୍ୟ ଯୋଗ ଦେଇଥିଲେ। ନିଷ୍ପତ୍ତି ହୋଇଛି ରଥଯାତ୍ରାରେ ସ୍ୱଳ୍ପ ସଂଖ୍ୟକ ସେବାୟତଙ୍କୁ ନିୟୋଜିତ କରାଯିବ। ରଥ ଟଣା ସମୟରେ ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁହେବ। ଏହି କଟକଣା ୨୦ ଓ ୨୪ ତାରିଖରେ ଲାଗୁ ହେବ।

ମହାରଣା ସେବାୟତମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ପ୍ରସ୍ତୁତି କରିବା ପାଇଁ ଲାଗି ପଡ଼ିଛନ୍ତି। ୧୯ ତାରିଖ ରାତି ସୁଦ୍ଧା ରଥ ତିଆରି ହୋଇ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ମହାରଣା ସେବାୟତମାନେ କହିଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ବିଭିନ୍ନ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ବ୍ରାହ୍ମଣ, ବଡ଼ୁ, ପୂଜାପଣ୍ଡା, ମହାରଣା, ଆପଟିଆ, ଭୋଇ ବେହେରା, ସମର୍ଥାଙ୍କ ସମେତ ରଥ ଯାତ୍ରାଠାରୁ ସ୍ୱର୍ଣ୍ଣାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ପାଳିଆ ସେବାୟତଙ୍କୁ ଡକାଇ ଆଲୋଚନା କରାଯାଇଛି। କୋଭିଡ କଟକଣା କଡ଼ାକଡ଼ି ପାଳନ ହେବ। ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସେବାୟତଙ୍କୁ ଜଣାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button