ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ‘ସମଲେଇ ଯୋଜନା’

ଭୁବନେଶ୍ଵର : କୋଟି କୋଟି ଓଡିଆଙ୍କ ଆସ୍ଥା ଓ ବିଶ୍ବାସର କେନ୍ଦ୍ର ମା ସମଲେଇ ।  ମା ଙ୍କ ପବିତ୍ର ପୀଠ ସମ୍ବଲପୁରର ମା ସମଲେଶ୍ବରୀ ମନ୍ଦିର । ପ୍ରତିଦିନ  ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ଆସିଥାନ୍ତି । ନବରାତ୍ରୀ, ଦଶହରା, ନୂଆଖାଇ ଓ ଗୁରୁତ୍ବପୂର୍ଣ୍ଣ ପର୍ବପାର୍ବାଣୀ ମାନଙ୍କରେ ମାଙ୍କ ପୀଠରେ ଭକ୍ତ ସମାଗମ ବୃଦ୍ଧି ହୋଇଥାଏ ।

ପୁରୀର ଶ୍ରୀଜଗନ୍ନାଥ ଓ ଭୁବନେଶ୍ବରର ଶ୍ରୀ ଲିଙ୍ଗରାଜ ମନ୍ଦିର ପରେ ୫-ଟି ଉପକ୍ରମ ଅଧୀନରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବୀ ପୀଠ ସମ୍ବଲପୁରର ମା ସମଲେଇଙ୍କ ମନ୍ଦିର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏ ସଂପର୍କରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ ଚିଠା ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଉପସ୍ଥାପନା କରାଯାଇଥିଲା ।

        ଷୋଡଶ ଶତାଦ୍ଦୀରେ ନିର୍ମିତ ମା ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର Samaleswari Temple Area Management & Local Economy Initiatives (SAMALEI) ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମଲେଶ୍ବରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯିବ । ଏହି ଯୋଜନାରେ ମାଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର୍ଯ୍ୟଟକ ଓ ଭକ୍ତ ମାନଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ହେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ ।

୧. ମା ଙ୍କ ମନ୍ଦିରର ସୁରକ୍ଷା ଓ ବିକାଶ…

ମାଙ୍କ ମନ୍ଦିର ଅଞ୍ଚଳ ୧୨ ଏକର ଜମି ଉପରେ ପ୍ରତିଷ୍ଠିତ । ତେଣୁ ଏଠାରୁ ଆସୁଥିବା ଭକ୍ତମାନେ ଯେଭଳି ସୁବିଧାରେ ମାଙ୍କର ଦର୍ଶନ କରିପାରିବେ, ସେଥିପାଇଁ ଧାଡି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜୀରୀଙ୍କ ବିଶ୍ରାମଗୃହ ନିର୍ମାଣ କରାଯିବ ।

ମନ୍ଦିରର ଚାରି ଦିଗରେ ୪ଟି ସୁଦୃଶ୍ୟ ଐତିହ୍ୟ ଦ୍ବାର ନିର୍ମାଣ  କରାଯିବ । ଭକ୍ତମାନେ ପୂର୍ବ ଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ଟି ଦ୍ବାର ଦେଇ ବାହାରକୁ ବାହାରିବେ ।

ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ବାର ପାଖରେ ମନ୍ଦିର କାର୍ଯ୍ୟାଳୟ, ଇଣ୍ଟରପିଟେସନ ସେଣ୍ଟର ଏବଂ ଜନସାଧାରଣଙ୍କ ପାଇଁ ଜରୁରୀ ସୁବିଧାର ବିକାଶ କରାଯିବ । ମନ୍ଦିର ନିକଟରେ ଅବସ୍ଥିତ ଗୋପାଳଜୀ ମଠର ସଂରକ୍ଷଣ କରାଯିବ ଏବଂ ଏହାର ବିକାଶକୁ ମୂଳ ଯୋଜନା ସହ ସମନ୍ବିତ କରାଯିବ ।

୨. ଐତିହ୍ୟ କରିଡ଼ର…

ମନ୍ଦିର ଚାରିପଟେ ଭକ୍ତମାନେ ଯେପରି ସୁବିଧାରେ ପରିକ୍ରମା କରିପାରିବେ, ସେଥିପାଇଁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ କରାଯିବ । ସମ୍ବଲପୁରର ଜଳବାୟୁକୁ ଦୃଷ୍ଟିରେ ରଖି ପରିକ୍ରମା  ପଥରେ ଛାୟାପ୍ରଦ ବୃକ୍ଷ ଆଦି ରୋପଣ କରାଯିବ ।

୩. ଯାତ୍ରୀ ସୁବିଧା…

ଯାତ୍ରୀମାନଙ୍କ ପାଇଁ ସେଠାରେ ପର୍ଯ୍ୟାପ୍ତ ସୁବିଧାର ବିକାଶ କରାଯିବ ଏବଂ ତାସହିତ ପାର୍କିଂ ଜାଗା, ସ୍ବତନ୍ତ୍ର ଭେଣ୍ଡିଂଜୋନ୍, ଶୌଚାଳୟ, ସୂଚନା କେନ୍ଦ୍ର, ଦାନ କେନ୍ଦ୍ର ଇତ୍ୟାଦି ବ୍ୟବସ୍ଥା ରଖାଯିବ । ତାସହିତ ମନ୍ଦିର ପାଖରେ ଯାତ୍ରୀନିବାସର ମଧ୍ୟ ସୁବିଧା ଉପଲବ୍‌ଧ ହେବ ।

୪. ସେବାୟତ ପରିବାର ପାଇଁ ବାସଗୃହ…

ମନ୍ଦିର ନିକଟରେ ରହୁଥିବା ସେବାୟତ ମାନଙ୍କ ପାଇଁ ସୁରକ୍ଷିତ ବାସଗୃହ ପ୍ରକଳ୍ପ ହାତକୁ ନିଆଯିବ ଏବଂ ଏଥିରେ ସମସ୍ତ ପ୍ରକାର ମୌଳିକ ସୁବିଧାର ବିକାଶ କରାଯିବ ।

୫.ମନ୍ଦିର ଓ ମହାନଦୀ ସଂଯୋଗ ରାସ୍ତା…

ମାଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଯେପରି ମନ୍ଦିରରୁ ମହାନଦୀ ଘାଟକୁ ସୁବିଧାରେ  ଯାଇପାରିବେ, ସେଥିପାଇଁ ୩୦ ମିଟର ଚଉଡା ବିଶିଷ୍ଟ ପାଦଚଲା ରାସ୍ତାର ମଧ୍ୟ ବିକାଶ କରାଯିବ ।

୬. ମହାନଦୀ ଆଳତୀ…

ଉପରୋକ୍ତ ପାଦଚଲା ରାସ୍ତାର ମଧ୍ୟ ଭାଗରେ ଏକ ୩୦ ମିଟର ବିଶିଷ୍ଟ ଡେକ୍ ନିର୍ମାଣ କରାଯିବ, ଯେଉଁଠାରୁ କି ଉଭୟ ମହାନଦୀ ଓ ମାଙ୍କ ମନ୍ଦିର ସ୍ପଷ୍ଟ ଭାବରେ ଦେଖାଯିବ। ସେଠାରେ ପ୍ରତିଦିନ ମହାନଦୀ ଆଳତୀ ଭକ୍ତମାନଙ୍କୁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି ଦେବ ।

୭. ରିଙ୍ଗ ରୋଡ ବିକାଶ…

ବର୍ତ୍ତମାନର ରିଙ୍ଗ ରୋଡକୁ ଚଉଡା କରାଯିବ ଏବଂ ସେଥିରେ ସ୍ବତନ୍ତ୍ର ଭାବରେ ନଦୀ କୂଳେ କୂଳେ ଚଲାପଥ  ଓ ଅବସର ସୁବିଧା ରହିବ ।  

୮. ନଦୀ କୂଳର ବିକାଶ…

ନଦୀ କୂଳର ଯୋଜନାବଦ୍ଧ ଭାବରେ ବିକାଶ କରାଯିବ ଏବଂ ଲୋକମାନେ ଯେପରି ସୁବିଧାରେ ସେମାନଙ୍କର  ପରମ୍ପରା ଓ ରୀତିନୀତି ପାଳନ କରିପାରିବେ, ସେଥିପାଇଁ ପ୍ଲାଟଫର୍ମର ବ୍ୟବସ୍ଥା କରାଯିବ । ତାସହିତ ପର୍ଯ୍ୟଟକ ମାନଙ୍କୁ ମହାନଦୀର ଦୃଶ୍ୟ ଅବଲୋକନ ପାଇଁ ପାଭିଲିୟନ, ପ୍ଲାଜା ଓ ଡେକ୍ ଆଦି ନିର୍ମାଣ କରାଯିବ । ପୁରୁଣା ଦିନ ଭଳି ମହାନଦୀରୁ ମନ୍ଦିର ସ୍ପଷ୍ଟ ଦେଖାଯିବ ।

୯. ହ୍ରଦ କୂଳର ବିକାଶ…

ଏହି ପ୍ରକଳ୍ପ ଅଧୀନରେ ୨୨ ଏକର ଜମିରେ ହ୍ରଦ କୂଳର ବିକାଶ କରାଯିବ । ଏଥିରେ ଓ୍ବେଟଲାଣ୍ଡ ବିକାଶ ସହିତ 5 MLD Sewerage Treatment Plant ନିର୍ମାଣ କରାଯିବ ।  ଓ୍ବେଟଲ୍ୟାଣ୍ଡ ଅଞ୍ଚଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯିବ । ଏହାସହିତ ସେଠାରେ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ଫୁଡ ପାର୍କ, ସ୍ଥାପତ୍ୟ ପାର୍କ ତଥା ମୁକ୍ତାକାଶ ରଂଗମଞ୍ଚର ବ୍ୟବସ୍ଥା ରହିବ । ସମ୍ବଲପୁରର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ସହିତ ବିଭିନ୍ନ ସ୍ମାରକୀ (Souvenirs) ସାମଗ୍ରୀର ବିକ୍ରି ପାଇଁ ଭେଣ୍ଡିଂ ବ୍ଯବସ୍ଥା  କରାଯିବ ।

10. ରେଲୱେ ରାସ୍ତର ପ୍ରଶସ୍ତିକରଣ…

ରେଳଷ୍ଟେସନରୁ ମନ୍ଦିରର ଉତ୍ତର ପାର୍ଶ୍ବକୁ ସଂଯୁକ୍ତ କରୁଥିବା ରାସ୍ତାକୁ ପ୍ରଶସ୍ତ କରାଯିବ । ଯାହାଫଳରେ ଟ୍ରାଫିକ ସମସ୍ୟା ଦୂର ହୋଇପାରିବ ।

11. ଶଶ୍ମାନର ପୁନର୍ବିନ୍ୟାସ…

ବର୍ତ୍ତମାନ ଥିବା ଶଶ୍ମାନକୁ ପୂର୍ବପଟକୁ ସ୍ଥାନାନ୍ତର କରାଯିବ ଏବଂ ଏଠାରେ ଆଧୁନିକ ସୁବିଧାର ବିକାଶ କରାଯିବ । ଏହି ଶଶ୍ମାନଟି ୯ ମିଟର ବିଶିଷ୍ଟ ପାଦଚଲା ରାସ୍ତା  ଦ୍ୱାରା ମହାନଦୀ ସହ ସଂଯୁକ୍ତ ହେବା ଫଳରେ ଲୋକମାନେ ସୁବିଧାରେ ନଦୀଘାଟକୁ ଯାଇ  ପରମ୍ପରା ଓ ରୀତିନୀତି ପାଳନ କରିପାରିବେ । ଶଶ୍ମାନ ପାଖରେ ଶେଷକୃତ୍ୟ, ସ୍ଥାନ ଶ୍ରାଦ୍ଧମଣ୍ଡପ ଓ ବିଶ୍ରାମଗୃହର ବ୍ୟବସ୍ଥା କରାଯିବ । ଏହି ନୂଆ ଯୋଜନା ଫଳରେ ପ୍ରଭାବିତ ହେଉଥିବା ଜନସାଧାରଣଙ୍କ ପାଇଁ  ମାନବୀୟ ଦୃଷ୍ଟିରୁ ବିଚାର କରିଏକ  ଉଦାର ଥଇଥାନ ଓ ପୁରର୍ବାସ ପ୍ୟାକେଜ ପ୍ରସ୍ତୁତ କରାଯାଉଛି ।

ଏଥିରେ ଘରୋଇ ଜମିରେ ଘର, ସରକାରୀ ଜମିରେ ଥିବା ବସ୍ତି, ସରକାରୀ ଜମିରେ ଅନ୍ୟ ବାସଗୃହ, ସରକାରୀ ଜମିରେ ଦୋକାନ ଘର, ସରକାରୀ ଜମିରେ ଭେଣ୍ଡର ମାନଙ୍କ ପାଇଁ ସୁବିଧା ପାଇଁ ପ୍ୟାକେଜରେ ବିସ୍ତୃତ ବ୍ୟବସ୍ଥା ରଖାଯିବ । ସେହିପରି ସରକାରୀ ଜମିରେ ଥିବା କ୍ଲବ, ଧାର୍ମିକ ଅନୁଷ୍ଠାନ, ସରକାରୀ ଅଫିସ ଓ ପ୍ରତିଷ୍ଠାନ ମାନଙ୍କ ପାଇଁ ସହାୟତା ପ୍ରଦାନ କରାଯିବ ।

ଏହି ଚିଠା ମାଷ୍ଟର ପ୍ଲାନ ସଂପର୍କରେ ଜନସାଧାରଣ development.samalei@gmail.com ଜରିଆରେ ମାର୍ଚ୍ଚ ୧୫ ସୁଦ୍ଧା ସେମାନଙ୍କର ମୂଲ୍ୟବାନ ମତାମତ ଦେଇପାରିବେ । ସମଲାଇ ପ୍ରକଳ୍ପର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନ କରିଥିଲେ ।

Leave a Reply

Your email address will not be published. Required fields are marked *

Back to top button