ମହୁମାଛି ସାଜିଲେ ବଇରି: ବୀରମିତ୍ରପୁର କଂଗ୍ରେସ କାର୍ଯ୍ୟକ୍ରମରେ ଅନେକ ଆହତ

ଭୁବନେଶ୍ଵର : ଓଡିଶାରେ କଂଗ୍ରେସ ପାଇଁ ଭଲ ବେଳ ଆସିନି। ଏଇ ଦଳକୁ ଲୋକେ ଗ୍ରହଣ କରୁନଥିବା ବେଳେ ସୁନ୍ଦରଗଡରେ ମହୁମାଛି ବି ସାଜିଲେ ବଇରି। ବୀରମିତ୍ରପୁରରେ ଚାଲିଥିବା ଏକ ଦଳୀୟ କାର୍ଯ୍ୟକ୍ରମ ମହୁମାଛିଙ୍କ ପାଇଁ ଭଣ୍ଡୁର ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ବୀରମିତ୍ରପୁରର ବଙ୍ଗଳାରେ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ଏକ କର୍ମୀ ସମ୍ମିଳନୀ ଆୟୋଜନ ହୋଇଥିଲା। ଯୋଗଦେଇଥିଲେ ନେତା ଓ କର୍ମୀ। କାର୍ଯ୍ୟକ୍ରମ ଆରମ୍ଭ ହେଲା। ନେତା ଭାଷଣ ଦେଉଥିବା ବେଳେ ଘଟିଲା ଅଘଟଣ। ହଠାତ ମହୁମାଛି କଲେ ଆକ୍ରମଣ। ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ବିନ୍ଧିଲେ। ପରିସ୍ଥିତି କୁଆଡେ ଏମିତି ହେଲା ଯେ ମହୁମାଛିଙ୍କ କବଳରୁ ବର୍ତ୍ତିବା ପାଇଁ କିଏ ଚେୟାର ତ ଆଉ କିଏ ଟେବୁଲ ଧରି ଦୌଡ଼ିଲେ। କିଏ ମୁହଁରେ କପଡ଼ା ବାନ୍ଧି ଧାଉଁଥିବା ଦେଖାଯାଇଥିଲା। ଏହି କାରଣ ପାଇଁ କାର୍ଯ୍ୟକ୍ରମ ଅଧାରୁ ବନ୍ଦ ହୋଇଗଲା ସିନା। ହେଲେ ମହୁମାଛିଙ୍କ ଆକ୍ରମଣରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି। ସେମାନଙ୍କୁ ବୀରମିତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।