ଏକାଠି ହୋଲି ନଖେଳିବାକୁ ସ୍କୁଲ ପିଲାଙ୍କୁ ଗଣଶିକ୍ଷାମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ଚୀନର କରୋନା ଭାଇରସ ଭାରତରେ ପ୍ରବେଶ କରିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସଚେତନତା ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ ଜାରି ରହିଛି ଉଦ୍ୟମ। ସେଥିପାଇଁ ଆସନ୍ତାକାଲି ରଙ୍ଗର ପର୍ବ ‘ହୋଲି’ ସାମୂହିକ ଭାବେ ନ ଖେଳିବାକୁ ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସ୍କୁଲ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ସ୍କୁଲ ପିଲାମାନେ ଏକାଠି, ସମବେତ ଭାବେ ରଙ୍ଗ ନ ଖେଳନ୍ତୁ। କରୋନା ପାଇଁ ସ୍କୁଲଗୁଡ଼ିକରେ ହେବାକୁ ଥିବା କାର୍ଯ୍ୟକ୍ରମ ଗୁଡ଼ିକ ବନ୍ଦ କରାଯାଉଛି। ଖୁବଶୀଘ୍ର କରୋନା ସମ୍ପର୍କରେ ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ କରାଯିବ।

ସେହିପରି ଆସନ୍ତାକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିବା ବେଳେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଥିବାରୁ ସତର୍କତାର ସହ ହୋଲି ଖେଳିବାକୁ କୁହାଯାଇଛି। ଯଥାସମ୍ଭବ ଏକତ୍ର ହୋଇ ରଙ୍ଗ ଖେଳରୁ ଦୂରେଇ ରହିବାକୁ ଦିଆଯାଇଛି ପରାମର୍ଶ। କୁହାଯାଇଛି ବଡ଼ ସମାବେଶ କରି ହୋଲି ଖେଳନ୍ତୁ ନାହିଁ। ମୁହଁରେ ରଙ୍ଗ ବୋଳନ୍ତୁ ନାହିଁ। କର ମର୍ଦ୍ଦନ କି ଆଲିଙ୍ଗନ ନକରିବାକୁ ପରାମର୍ଶ ଦିଆଯାଇଛି ।

ମତାମତ ଦିଅନ୍ତୁ ।