ହରେକ ମାଲ ପରି କୁକୁଡ଼ା ଗୋଟାକୁ ୧୦ ଟଙ୍କା

ଭୁବନେଶ୍ଵର : ଶସ୍ତାରେ କୁକୁଡ଼ା। ହରେକ ମାଲ ପରି ଗୋଟାକୁ ୧୦ ଟଙ୍କା। ପୁରୀ ଜିଲ୍ଲା ନିମାପଡ଼ା ବଜାରରେ ଆଜି ଏହି ଦରରେ କୁକୁଡା ବିକ୍ରି ହୋଇଥିବା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ପ୍ରଥମେ କୁକୁଡ଼ା ଗୋଟାକୁ ୪୦ ଟଙ୍କା ଓ ଶହେ ଟଙ୍କାରେ ୩ଟା ବିକ୍ରି ପାଇଁ ମାଇକ୍‌ରେ ପ୍ରଚାର କରାଗଲା। କିନ୍ତୁ ଲୋକେ କିଣିବାକୁ ସେମିତି ଆଗ୍ରହ ପ୍ରକାଶ କଲେନାହିଁ। ଶେଷରେ ଗୋଟାକୁ ୧୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ ଚାଷୀ। ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଚାଷୀ ଏପରି ଶସ୍ତାରେ କୁକୁଡ଼ା ବିକ୍ରି କରିଥିବା ଦେଖିବାକୁ ମିଳିଥିଲା। ଏହାର କାରଣ ହେଲା ବାର୍ଡ ଫ୍ଲୁ ଓ କରୋନା ଭୟରେ ଲୋକେ ଚିକେନ୍‌ ଖାଉ ନ ଥିବାରୁ କୁକୁଡ଼ା ଫାର୍ମ ମାଲିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବ୍ୟବସାୟରେ ସଂପୂର୍ଣ୍ଣ କ୍ଷତି ସହିବା ଅପେକ୍ଷା କିଛି ପଇସା ଉଠାଇବା ପାଇଁ ଶସ୍ତାରେ କୁକୁଡା ବିକ୍ରି କରିବାକୁ ବାଧ୍ୟ ହେଉଥିବା ସେମାନେ କହିଛନ୍ତି।

ଅନ୍ୟପକ୍ଷରେ କୁକୁଡ଼ାକୁ ଲୋକ ନେଉ ନାହାନ୍ତି। ଫାର୍ମରେ କୁକୁଡ଼ା ପାଳନ ପାଇଁ ଦାନା ଖର୍ଚ୍ଚ ବଢୁଛି। ଚିକେନ ଦାମ୍‌ ଠାରୁ ଦାନା ଖର୍ଚ୍ଚ ବଢ଼ି ଯାଉଛି। ଏଭଳି ପରିସ୍ଥିତିରେ ଫାର୍ମ ମାଲିକମାନେ ଗାଡ଼ିରେ କୁକୁଡ଼ା ବୋଝେଇ କରି ବଜାରରେ କମ୍ ଦରରେ ବିକ୍ରି କରିବା ଛଡା ଅନ୍ୟ ଉପାୟ ନାହିଁ।

ମତାମତ ଦିଅନ୍ତୁ ।