୪ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ମଧ୍ୟରୁ କାହାର ସମ୍ପତ୍ତି କେତେ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ବିଜେଡିର ୪ଜଣ ପ୍ରାର୍ଥୀଙ୍କ ବିଜୟ ଏକପ୍ରକାର ସୁନିଶ୍ଚିତ ହୋଇଛି। ତେବେ ୧୬ତାରିଖରେ ଯାଞ୍ଚ ଓ ୧୮ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ତେବେ ପ୍ରାର୍ଥୀମାନଙ୍କର ସମ୍ପତ୍ତି କେତେ ତାହା ଦାଖଲ ହୋଇଥିବା ସତ୍ୟାପାଠରୁ ଜଣାପଡିଛି।

ଆଜି ବିଧାନସଭା ପରିସରରେ ବିଜେଡିର ୪ଜଣ ପ୍ରାର୍ଥୀ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର ଓ ମମତା ମହାନ୍ତ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରତ୍ୟେକ ପ୍ରାର୍ଥୀ ଦୁଇ ସେଟ୍ ଲେଖାଏ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସତ୍ୟପାଠରେ ନିଜର ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତା ଓ ଅପରାଧିକ ବିବରଣୀ ଉଲ୍ଲେଖ କରିଛନ୍ତି।

ସୁଜିତ୍ କୁମାରଙ୍କ ମୋଟ ସମ୍ପତ୍ତି ପରିମାଣ ପ୍ରାୟ ୩.୫୬ କୋଟି ଟଙ୍କା। ସେ ଆମେରିକାର ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ ମାଷ୍ଟରଡ୍ରିଗ୍ରୀ ହାସଲ କରିଛନ୍ତି। ତାଙ୍କ ନାଁରେ ୧.୮୮ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବାବେଳେ ପତ୍ନୀ ସ୍ୱାତୀ କୁମାରୀଙ୍କ ନାଁରେ ରହିଛି ୧.୦୧ କୋଟି ଟଙ୍କାର ସମ୍ପତ୍ତି। ସୁଜିତଙ୍କ ପାଖରେ ୧୫.୧୭ କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ ଥିବାବେଳେ ସେ ୭ଟି କମ୍ପାନୀରେ ୫୨.୦୮ଲକ୍ଷ ଟଙ୍କାର ପୁଞ୍ଜିନିବେଶ କରିଛନ୍ତି। ସେହିପରି ପତ୍ନୀଙ୍କ ପାଖରେ ୫୨୦ଗ୍ରାମ ସୁନା, ୧କିଲୋ ରୂପା, ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ୧୨୦ ଗ୍ରାମର ରତ୍ନପଥର ରହିଛି। ଏସବୁ ବ୍ୟତୀତ ସୁଜିତଙ୍କ ନାଁରେ ୭୯.୯୪ଲକ୍ଷ ଟଙ୍କାର ଋଣ ରହିଛି। କଳାହାଣ୍ଡିରେ ଜନ୍ମିତ ୪୪ବର୍ଷୀୟ ସୁଜିତ୍ ଏବେ ଭୁବନେଶ୍ୱରସ୍ଥିତ ପଟିଆର ସ୍ଥାୟୀ ବାସିନ୍ଦା।

ମୟୂରଭଞ୍ଜ ଜିଲ୍ଲା ବିଶୋୟୀ ବ୍ଲକର ୪୪ବର୍ଷୀୟା ମମତା ମହାନ୍ତଙ୍କ ନାଁରେ ମାତ୍ର ୫୬ହଜାର ୩୮ଟଙ୍କା ଥିବାବେଳେ ତାଙ୍କ ପତି ବିଜୟ କୁମାର ମହାନ୍ତଙ୍କ ନାଁରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଶି ୩୮.୧୮ଲକ୍ଷ ଟଙ୍କା ରହିଛି। ବିଜୟଙ୍କ ନାଁରେ ରହିଛି ୪.୮୭ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ। ମମତାଙ୍କ ପାଖରେ ୧୫୦ଗ୍ରାମ ସୁନା, ୩୦୦ଗ୍ରାମ ରୂପା ଥିବାବେଳେ ତାଙ୍କ ପତିଙ୍କ ପାଖରେ ୧୦୦ଗ୍ରାମ ସୁନା ଅଛି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ୍ ବୋଲି ସେ ଉଲ୍ଲେଖ କରିଛନ୍ତି।

ମୁନ୍ନା ଖାଁଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପରିମାଣ ପ୍ରାୟ ୨କୋଟି ୬୦ ଲକ୍ଷ। ପତ୍ନୀଙ୍କ ନାଁରେ ୧.୧୫କୋଟି ଟଙ୍କା ଥିବାବେଳେ ତାଙ୍କ ନାଁରେ ୧.୪୫କୋଟି ଟଙ୍କା ଅଛି । ମୁନ୍ନାଙ୍କ ପାଖରେ ୫୦୦ଗ୍ରାମ ସୁନା ଓ ପତ୍ନୀଙ୍କ ପାଖରେ ୮୦୦ ଗ୍ରାମ ସୁନା ଓ ଗୋଟିଏ ହୋଣ୍ଡା ସିଟି କାର ଅଛି। ମୁନ୍ନାଙ୍କ ପତ୍ନୀ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି। ୫୭ବର୍ଷୀୟ ମୁନ୍ନା ୧୯୮୩ ମସିହାରେ ଆନ୍ଧ୍ର ମାଟ୍ରିକ ପାସ୍ କରିଛନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ମୁନ୍ନାଙ୍କ ପତ୍ନୀଙ୍କ ନାଁରେ ରହିଛି ୧୪ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ।

ସେହିପରି ଟ୍ରେଡ ୟୁନିଅନ୍ ନେତା ସୁବାସ ସିଂଙ୍କର ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପରିମାଣ ପ୍ରାୟ ୨.୧୨କୋଟି ଟଙ୍କା। ଏଥିରେ ତାଙ୍କ ହୋମିଓପ୍ୟାଥି ଡାକ୍ତର ପତ୍ନୀଙ୍କ ନାଁରେ ୧.୨୯କୋଟି ଟଙ୍କାର ସମ୍ପତ୍ତି ରହିଛି। ୬୦ବର୍ଷୀୟ ସୁବାସ ରାଜନୀତି ବିଜ୍ଞାନରେ ଏମଏ ଓ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ନାଁରେ ୧୧ଟି ଅପରାଧିକ ମାମଲା ରହିଛି। ପତ୍ନୀଙ୍କ ନାଁରେ ଗୋଟିଏ ସ୍କୁଟି ଓ ମାରୁତି ବ୍ରିଜା କାର ଅଛି। ଏହାସହ ପତ୍ନୀଙ୍କ ପାଖରେ ୨୯୦ ଗ୍ରାମର ସୁନା ଥିବା ବେଳେ ପତ୍ନୀଙ୍କ ନାଁରେ ରହିଛି ୧୨.୨୬ ଲକ୍ଷ ଟଙ୍କା ଋଣ।

ମତାମତ ଦିଅନ୍ତୁ ।