୫୩ଜଣ ଓଡିଆଙ୍କ ସଂସ୍ପର୍ଶରେ ଆସିଥିଲେ ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି

ଭୁବନେଶ୍ୱର : ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ ରବିବାର ରାତିରେ ଚିହ୍ନଟ ହୋଇଛନ୍ତି। ରାଜଧାନୀ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଏବେ ଚିକିତ୍ସିତ ହେଉଥିବା ଏହି ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୬ରେ ଇଟାଲିରୁ ଭାରତ ଫେରିବା ପରେ ଓଡିଶା ଆସିଥିଲେ। ଏହି ସମୟରେ ମଧ୍ୟରେ ସେ ପ୍ରାୟ ୧୨୯ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ଟ୍ରେନରେ ୭୬ ଜଣଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ସେଥିମଧ୍ୟରୁ ଓଡିଶାର ଅଛନ୍ତି ୫୩ଜଣ। ଆଇଇସିର ମୁଖପାତ୍ର ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି।

ଶ୍ରୀ ବାଗଚୀ କହିଛନ୍ତି ସରକାର କରୋନା ଭାଇରସ ପାଇଁ ଏକ ପୋର୍ଟାଲର ବ୍ୟବସ୍ଥା କରୁଛନ୍ତି। ବିଦେଶରୁ ଆସୁଥିବା ବ୍ୟକ୍ତି ଓ ଛାତ୍ରମାନେ ଏହି ପୋର୍ଟାଲରେ ସୂଚନା ଦେବା ବାଧ୍ୟତାମୂଳକ। ଏହାସହ ଟୋଲଫ୍ରି ନମ୍ବର ୧୦୪କୁ କଲ କରି ସେମାନେ ଜଣାଇ ପାରିବେ। ସେମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ତଥ୍ୟ ରଖିବାକୁ କୁହାଯାଇଛି। ଏହାକୁ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆଜିସୁଦ୍ଧା ୧୫୭ଟି ଦେଶକୁ କରୋନା କାୟା ବିସ୍ତାର କରିସାରିଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୦ ହଜାର ୧୮୭ରେ ପହଞ୍ଚିଥିବା ବେଳେ ଭାରତରେ ଏହି ସଂଖ୍ୟା ୧୧୫ ବୋଲି ଥିବା ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି। ଜରୁରୀ ନଥିଲେ ଘରୁ ନ ବାହାରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।