ସବୁ ଅଙ୍ଗନବାଡ଼ି ଅପ୍ରେଲ ୩୦ ପର୍ଯ୍ୟନ୍ତ ବନ୍ଦ

ଭୁବନେଶ୍ୱର : କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ଅଙ୍ଗନବାଡ଼ି ଗୁଡ଼ିକୁ ଆସନ୍ତା ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଅଙ୍ଗନବାଡ଼ି କର୍ମୀମାନେ ସେମାନଙ୍କ ଘରକୁ ଯାଇ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନରେ ଶୁଖିଲା ଖାଦ୍ୟ ଓ ସାପ୍ରାହିକ ଅଣ୍ଡାନେଇ ପହଞ୍ଚାଇବେ। ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ସେହିପରି ରାଜ୍ୟ ସରକାରଙ୍କର ଅଧୀନରେ ଥିବା ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଛାତ୍ରାବାସକୁ ଆସନ୍ତା ୨୫ ତାରିଖ ଠାରୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ସେଥିପାଇଁ ଛାତ୍ରାବାସରେ ରହୁଥିବା ୫ଲକ୍ଷ ଛାତ୍ରଛାତ୍ରୀଙ୍କୁ ୩ମାସର ଛାତ୍ରବୃତ୍ତି ଅଗ୍ରୀମ ଆକାରରେ ଦିଆଯାଇଥିବା ସେମାନଙ୍କ ପରିବାର ସଦସ୍ୟଙ୍କୁ ଜଣାଇ ଦିଆଯାଇଛି।

କରୋନାକୁ କେନ୍ଦ୍ରକରି ଯଦି କିଛି ଆପତ୍‌କାଳୀନ ସ୍ଥିତି ଉତ୍ପନ୍ନ ହୁଏ ତାହାର ମୁକାବିଲା ପାଇଁ ରାଜ୍ୟର ସମସ୍ତ ୬୭୯୮ଟି ଗ୍ରାମ ପଞ୍ଚାୟତରେ ୭୨୭୬ଟି ଅସ୍ଥାୟୀ ଚିକିତ୍ସାଳୟ ସ୍ଥାପନ କରାଯିବ। ସେଠାରେ ସମସ୍ତ ପ୍ରକାରର ଅବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।