ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବାଛବିଚାର ନକରିବାକୁ ଅନୁରୋଧ

Breaking News ରାଜ୍ୟ

ଭୁବନେଶ୍ୱର : କରୋନା ପାଇଁ ଦେଶରେ ୨୧ଦିନ ଲକଡାଉନ୍ ଲାଗୁ ହୋଇଥିବାରୁ ଏବେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ଜରୁରୀ ହୋଇପଡିଛି। ଏଭଳି ଅଚଳାବସ୍ଥାକୁ ଏଡ଼ାଇବା ନିମନ୍ତେ କେନ୍ଦ୍ର ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ବୁଧବାର ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ସବୁପ୍ରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ ଆନ୍ତଃ ରାଜ୍ୟ ଚେକଗେଟରେ ସାମଗ୍ରୀ ପରିବହନକୁ ନେଇ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଏବେସୁଦ୍ଧା କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ବାଦ୍ ଦେଲେ ସମସ୍ତ ପ୍ରକାରର ପରିବହନ ସେବାକୁ ବାତିଲ କରିଦିଆଯାଇଛି। କେଉଁ ସାମଗ୍ରୀ ଅତ୍ୟାବଶ୍ୟକ ଓ ଅଣ-ଅତ୍ୟାବଶ୍ୟକ ତା’ର ବାଛବିଚାର କଲେ ତାହା ଚେକଗେଟସ୍ତରରେ ଦୁର୍ନୀତିକୁ ପ୍ରୋତ୍ସାହିତ କରିବ। ଏଥିପାଇଁ ଚେକଗେଟ ଗୁଡ଼ିକରେ ଦୀର୍ଘ କିମି ବ୍ୟାପୀ ମାଲବାହୀ ଗାଡ଼ିଗୁଡ଼ିକ ଉଭୟପାଶ୍ୱର୍ରେ ଅଟକି ରହିବ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏଭଳି ଅଭିଜ୍ଞତା ଓଡ଼ିଶାକୁ ମିଳିଥିଲା। ସେତେବେଳେ ମାଲ ପରିବହନରେ କେଉଁ ସାମଗ୍ରୀ ଅତ୍ୟାବଶ୍ୟକ ଓ ଅଣଅତ୍ୟାବଶ୍ୟକ ତା’ର ବାଛବିଚାର କରିବାବେଳେ ବିଶେଷକରି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପ୍ରଭାବିତ ହୋଇଥିଲା। ଏହାଛଡା ସାମଗ୍ରୀ ଗୁଡ଼ିକୁ ଅତ୍ୟାବଶ୍ୟକ ଓ ଅଣଅତ୍ୟାବଶ୍ୟକ ବର୍ଗରେ ବିଭକ୍ତ କରି ବିସ୍ତୃତ ତାଲିକା ପ୍ରସ୍ତୁତ କରିବା ଓ ତୃଣମୂଳସ୍ତରରେ ତାକୁ ପାଳନ କରିବାରେ ମଧ୍ୟ ସମସ୍ୟା ରହିଛି।

ତେଣୁ ସାମଗ୍ରୀକୁ ବର୍ଗୀକରଣ ନକରି ଦେଶବ୍ୟାପୀ ମାଲ ଓ ସାମଗ୍ରୀର ଅବାଧ ପରିବହନ କରିବା ନିମନ୍ତେ ଅନୁମତି ଦେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏହାଦ୍ଵାରା ଚେକଗେଟ ଗୁଡ଼ିକରେ ଭିଡ଼ ହ୍ରାସ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଓ ଯୋଗାଣ ପ୍ରଭାବିତ ହେବ ନାହିଁ। ଲକଡାଉନ୍ ସମୟରେ ଦ୍ରବ୍ୟ ଓ ସାମଗ୍ରୀଗୁଡ଼ିକ ଉପଲବ୍ଧ କରାଇବା ଏବେ ସମସ୍ତ ଦେଶ ଉପରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଥିବାରୁ ଏ ଦିଗରେ ତୁରନ୍ତ ନିଷ୍ପତ୍ତି ନେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଅନୁରୋଧ କରିଛନ୍ତି।

ମତାମତ ଦିଅନ୍ତୁ ।