ସଟ୍ ଡ଼ାଉନ୍ : କେଉଁ ଅଞ୍ଚଳରେ କଟକଣା ବଳବତ୍ତର ରହିବ

ଭୁବନେଶ୍ଵର : ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଆଜି ୪୮ ଘଣ୍ଟିଆ ସଟ୍ ଡ଼ାଉନ୍ ପରି କଠୋର ପଦକ୍ଷେପ ନେଇଛନ୍ତି। ସମଗ୍ର ଦେଶରେ ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିଥିବା ବେଳେ ଶୁକ୍ରବାର ସନ୍ଧ୍ୟା ୮ଟାରୁ ଆସନ୍ତା ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକ ମହାନଗର ସମେତ ଭଦ୍ରକ ପୌରାଞ୍ଚଳ ଓ ଭୁବନେଶ୍ୱର ଉପକଣ୍ଠର ୧୮ଟି ପଂଚାୟତରେ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ ଘରୁ ନବାହାରିବା ପାଇଁ ଜାରି କରାଯାଇଛି ନିର୍ଦ୍ଦେଶନାମା। ନିୟମ ଉଲ୍ଲଘଂନକାରୀଙ୍କୁ ଆଇପିସି ଓ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଅନୁସାରେ ଦଣ୍ଡିତ କରାଯିବ।

ସୂଚନା ଅନୁଯାୟୀ କଟକ ଓ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, ଭଦ୍ରକ ପୌରାଞ୍ଚଳ ସମେତ ଭୁବନେଶ୍ୱର ଉପକଣ୍ଠର ଶିଶୁପାଳ, ଲିିଙ୍ଗିପୁର, ରଣସିଂହପୁର, ତମାଣ୍ଡୋ, ମଳିପଡ଼ା, ଅନ୍ଧାରୁଆ, କଳାରାହାଙ୍ଗ, ରଘୁନାଥପୁର, ବାରିମୁଣ୍ଡ, ଦାରୁଠେଙ୍ଗ/ଚନ୍ଦକା, ଧଉଳି, ଜାଆଁଳା, ସିଜୁଆ, ବାଳକାଟି(ପ୍ରତାପ ଶାସନ), ବାଲିଅନ୍ତା ଓ ଜଗନ୍ନାଥପୁର ପଞ୍ଚାୟତ ସମେତ ଜଟଣୀ ବ୍ଲକର ପ୍ରଧାନସାହି ସମ୍ପୂର୍ଣ୍ଣ ବନ୍ଦ ରହିବ।

ଏସବୁ ଅଞ୍ଚଳରେ ଅଫିସ, ଦୋକାନବଜାର ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଖୋଲିବ ନାହିଁ। କେବଳ ହସ୍ପିଟାଲ, ଥାନା, ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ସେବା ଜାରି ରହିବ। ଆଇଟି ସଚିବଙ୍କ ଦ୍ୱାରା ନିର୍ଦ୍ଧାରିତ ଟେଲିକମ୍ ସେବା ଓ ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ପେଟ୍ରୋଲ ପମ୍ପ ଓ କିଛି ମେଡିସିନ ଦୋକାନ ଖୋଲା ରହିବ। ପୋଲିସ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚିହ୍ନଟ ଗଣମାଧ୍ୟମ ସଂସ୍ଥା କାର୍ଯ୍ୟ କରିବ। ମାଲ ପରିବହନ ପାଇଁ ରେଳ ଷ୍ଟେସନ ଓ ବିମାନ ବନ୍ଦର ଖୋଲା ରହିବା ସହ ମାଲବାହୀ ଯାନବାହନ ଗୁଡ଼ିକ ସ୍ୱାଭାବିକ ଭାବେ ଚଳପ୍ରଚଳ କରିବ। ବିଜୁଳି ଯୋଗାଣ ଓ ବିତରଣ, ମହାନଗର ପକ୍ଷରୁ ସଫେଇ କାର୍ଯ୍ୟ ଜାରି ରହିବ। ଲକଡାଉନ୍ ସମୟରେ ଦିଆଯାଇଥିବା ପାସଗୁଡ଼ିକୁ କାମ ଦେବନି। ତେଣୁ ସମସ୍ତଙ୍କୁ ଘର ଭିତରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମତାମତ ଦିଅନ୍ତୁ ।