ସଟଡାଉନ୍ ଅବଧି ବଢ଼ିବନି, ବଜାରରେ ଭିଡ ନକରିବାକୁ ପରାମର୍ଶ ଦେଲେ ମୁଖ୍ୟ ସଚିବ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵର ସମେତ କଟକ, ଭଦ୍ରକ ଓ ଅନ୍ୟ କିଛି ଅଞ୍ଚଳରେ ଜାରି ହୋଇଥିବା ୪୮ ଘଣ୍ଟିଆ ସଟଡାଉନ୍ ଅବଧି ବଢ଼ିବ ନାହିଁ। ରବିବାର ରାତି ୮ଟାରେ କଟକଣା ସମୟ ଶେଷହେବ। ବଜାରରେ ଖୋଲିବ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ। କିନ୍ତୁ ସେଠାରେ ଭିଡ ନକରିବାକୁ ସତର୍କ କରିଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ। ସେ କହିଛନ୍ତି ଲକଡାଉନକୁ ହେୟ ମନେକରି ସେସବୁୁ ସ୍ଥାନରେ ସାମାଜିକ ଦୂରତ୍ଵ ନିୟମକୁ ଅବଜ୍ଞା କରାଯାଏ ତେବେ ସଟଡାଉନ୍ ଓ ଲକଡାଉନ ଠାରୁ ଆହୁରି କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ସରକାର ବାଧ୍ୟ ହେବେ।

ରବିବାର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ରାଜ୍ୟରେ ଏବେ ସୁଦ୍ଧା କୌଣସି କରୋନା ହଟସ୍ପଟ ନାହିଁ। ସଟଡାଉନ୍ ହୋଇଥିବା ସ୍ଥାନରେ ସମାଜିକ ସଂକ୍ରମଣ ବା କମ୍ୟୁନିଟି ଟ୍ରାନ୍ସମିସନର ପ୍ରମାଣ ମଧ୍ୟ ମିଳିନାହିଁ। ୪୮ ଘଣ୍ଟିଆ ସଟଡାଉନ୍ ଯୋଗୁଁ କରୋନା ସଂକ୍ରମଣ ନିୟନ୍ତ୍ରଣ ସଫଳ ହୋଇଛି। ସେଥିପାଇଁ ସେ ପୋଲିସ୍, ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଜରୁରୀ ସେବାରେ ଥିବା ସମସ୍ତ ସଦସ୍ୟ ଓ ସାଧାରଣ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି।

ମତାମତ ଦିଅନ୍ତୁ ।