କରୋନା ବିରୋଧୀ ଲଢେଇରେ ମିଶନ ଶକ୍ତି ମହିଳାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ: ସୁଜାତା କାର୍ତ୍ତିକେୟନ

Breaking News ରାଜ୍ୟ

ଭୁବନେଶ୍ୱର : କରୋନା ବିରୋଧୀ ଲଢେଇରେ ମିଶନ ଶକ୍ତିର ମହିଳାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ଡାକ୍ତର ଓ ପୋଲିସ ଭଳି ସେମାନେ ବିପଦ ବେଳେ ସମାଜ ସେବା କରିବାକୁ ଆଗେଇ ଆସିଛନ୍ତି। ଅସହାୟଙ୍କୁ ସହାୟତା ଓ ଲୋକଙ୍କୁ ସଚେତନ କରିବାକୁ ଏହି ମହିଳାମାନଙ୍କ ଅବଦାନ ବେଶ ପ୍ରଶଂସନୀୟ ବୋଲି କହିଛନ୍ତି ମିଶନ ଶକ୍ତିର କମିଶନର ସୁଜାତା କାର୍ତ୍ତିକେୟନ।

ସେ କହିଛନ୍ତି ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳାମାନେ ବିଭିନ୍ନ ସ୍ଥାନରେ ତେଜରାତି ଦୋକାନ ଖୋଲିବା ସହ ଲୋକଙ୍କ ପାଖରେ ମୋବାଇଲ ଭ୍ୟାନ ଜରିଆରେ ସେବା ପହଞ୍ଚାଇଛନ୍ତ । ଅସହାୟଙ୍କୁ ରନ୍ଧାଖାଦ୍ୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମିଶନ ଶକ୍ତିର ମହିଳାମାନେ ବିଭିନ୍ନ ଜିଲ୍ଲାରେ ରନ୍ଧାଖାଦ୍ୟ ଯୋଗାଇଛନ୍ତି। ଆଜି ପର୍ଯ୍ୟନ୍ତ ୨୫ ଲକ୍ଷ ଅସହାୟଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ଆଗକୁ ମହିଳାମାନେ ଏହି କାମ ଜାରି ରଖିବେ। ତେବେ ବଜାରରେ ଯେତେବେଳେ ମାସ୍କର ଅଭାବ ଦେଖା ଦେଇଥିଲା ସେତେବେଳେ ମହିଳାମାନେ ଲୋକଙ୍କ ପାଖରେ ମାସ୍କ ପହଞ୍ଚାଇବାକୁ ନିଜେ ସିଲେଇ କରି ମାସ୍କ ବାଣ୍ଟିଥିଲେ । ଆଜି ସୁଦ୍ଧା ବିଭିନ୍ନ ସ୍ଥାନରେ ଲୋକଙ୍କୁ ୧୨ ଲକ୍ଷ ମାସ୍କ ଯୋଗାଇ ଦିଆଯାଇଛି। କରୋନା ମୁକାବିଲା ପାଇଁ ଓ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି। ଏ କ୍ଷେତ୍ରରେ ମହିଳାଙ୍କ ଭୂମିକା ବି ଗୁରୁତ୍ୱପୂର୍ଣ୍ଣ। ବାହାରେ ଲୋକଙ୍କୁ ପୋଲିସ ଜଗିବାପରି ଘର ଭିତରେ ମହିଳାମାନେ ସବୁ ପୋଲିସ ହେବା ଦରକାର। ମାଆମାନେ ଘରର ପୋଲିସ ହୋଇ ନିଜ ପରିବାର ସଦସ୍ୟଙ୍କୁ ବାହାରକୁ ନବାହାରିବା ପାଇଁ କହିବେ। ଆବଶ୍ୟକ ନଥିଲେ ଅଯଥାରେ ବାହାରକୁ ବାହାରିବେନି। ସବୁଦିନ ସଜ ପରିବା ବଜାରରୁ ଆଣିବା ଏଭଳି ସମୟରେ ଟିକେ ଦୂରାନ୍ତୁ। କରୋନା ଔଷଧ ଆମ ହାତରେ ଅଛି। ଘରେ ରହି କରୋନାକୁ ହରାଇବାକୁ ମାଆମାନଙ୍କୁ ସୁଜାତା କାର୍ତ୍ତିକେୟନ ପରାମର୍ଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।