କରୋନା : ଆଳିର ୧୨ଗାଁ ସିଲ୍‌, ୧୪ ଦିନ ବନ୍ଦହେଲା କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ

ଭୁବନେଶ୍ଵର : ରାଜ୍ୟରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢୁଛି। ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଆକ୍ରାନ୍ତ ଚିହ୍ନଟ ହେବାପରେ ୧୨ଟି ଗାଁକୁ ସିଲ୍ କରି ଦିଆଯାଇଛି। ସେହିପରି ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସର ଜଣେ କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବାରୁ ଅଫିସକୁ ୧୪ ଦିନ ପାଇଁ ସିଲ୍ କରି ଦିଆଯାଇଛି। କର୍ମଚାରୀମାନଙ୍କୁ ହୋମ୍‌ କ୍ୱାରେଣ୍ଟାଇନରେ ରଖାଯାଇଥିବା ବେଳେ ସମସ୍ତଙ୍କ ସ୍ୱାବ୍ ନମୂନା ସଂଗ୍ରହ କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୂରୀ ସୂଚନା ଦେଇଛନ୍ତି।

ସୋମବାର ରାତିରେ କେନ୍ଦ୍ରାପଡ଼ା ଜିଲ୍ଲାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା। ତାଙ୍କୁ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କୁ ହୋମ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ସମସ୍ତଙ୍କର ସ୍ୱାବ୍ ନମୁନା ସଂଗ୍ରହ କରାଯାଇଛି। ଆକ୍ରାନ୍ତଙ୍କ ଗାଁର ୩ କିମି ଭିତରେ ଥିବା ୧୧ଟି ଗାଁକୁ ସିଲ୍ କରି ଦିଆଯାଇଛି। ଆକ୍ରାନ୍ତଙ୍କ ଗାଁରେ ଘରକୁ ଘର ବୁଲି ଲୋକମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ବୁଝାଯିବ। ସଂପୃକ୍ତ ଅଞ୍ଚଳର କେହି ବାହାରକୁ ଯିବା ଆସିବା କରିପାରିବେନି। ଆକ୍ରାନ୍ତ ବ୍ୟକ୍ତି କ୍ୱାରେଣ୍ଟାଇନ୍‌ରେ ଥିବାରୁ କୌଣସି ଲୋକ ଆତଙ୍କିତ ନ ହେବାକୁ ଜିଲ୍ଲାପାଳ କହିଛନ୍ତି।

ସେହିପରି ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସର ଜଣେ କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ସମ୍ପୂର୍ଣ୍ଣ ଅଫିସକୁ ୧୪ ଦିନ ପାଇଁ ସିଲ୍ କରି ଦିଆଯାଇଛି। ସଂକ୍ରମଣ ଆଶଙ୍କାରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ ମଧ୍ୟ ହୋମ୍‌ କ୍ୱାରେଣ୍ଟାଇନରେ ରହିଥିବା ସୂଚନା ମିଳିଛି। ସମସ୍ତଙ୍କ ସ୍ୱାବ୍ ନମୂନା ସଂଗ୍ରହ କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୂରୀ କହିଛନ୍ତି।

ମତାମତ ଦିଅନ୍ତୁ ।