ଥାନାରେ ଥାର୍ଡ ଡିଗ୍ରୀ ମାମଲା: ପାଟଣା ଥାନା ଆଇଆଇସି ନିଲମ୍ବିତ

କେନ୍ଦୁଝର: ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଲମ୍ବିତ ହୋଇଛନ୍ତି କେନ୍ଦୁଝର ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା । ଏନେଇ ଡିଜିପି ଶ୍ରୀ ଅଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ବେଆଇନ୍‌ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବିତ କରାଗଲା ବୋଲି ଡିଜିପିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସୂଚନାଥାଉ କି, କିଛି ଦିନ ପୂର୍ବେ ଜମିବାଡ଼ି ବିବାଦକୁ ନେଇ କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ପ୍ରଭାସରଭା ଗାଁର ରାଜୁ ମହାନ୍ତି ଓ ତାଙ୍କ ଦାଦାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏନେଇ ମାର୍ଚ୍ଚ ୨୫ ତାରିଖରେ ପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଆଇଆଇସି ସନ୍ଧ୍ୟାରାଣୀ ରାଜୁକୁ ଥାନାକୁ ଆଣି ଅତି ନିର୍ଦ୍ଦୟ ଭାବେ ଲାଠିରେ ପିଟିଥିଲେ। ଗୋଇଠା ମାରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ସନ୍ଧ୍ୟାରାଣୀଙ୍କ ଅଡ଼ୁଆ ବଢ଼ିଥିଲା।

ରାଜ୍ୟ ମାନବାଧିକାର କମିଶନ ଘଟଣାର ଜବାବ ତଲବ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବକୁ କେନ୍ଦୁଝର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ଆଇଆଇସିଙ୍କ ଦରମାରୁ ପୀଡ଼ିତ ଯୁବକଙ୍କୁ ତୁରନ୍ତ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।  ଗୃହ ସଚିବ ଓ ଡିଜିପିଙ୍କୁ ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ମାନବାଧିକାର କମିଶନ। ଏହାପରେ ଆଜି ଆଇଆଇସି ସନ୍ଧ୍ୟାରାଣୀଙ୍କୁ ସସ୍‌ପେଣ୍ଡ କରାଯାଇଥିବା ନେଇ ଟ୍ୱିଟ୍‌ କରିଛନ୍ତି ପୁଲିସ୍‌ ଡିଜି।

ମତାମତ ଦିଅନ୍ତୁ ।