ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ଦୁଷ୍କର୍ମ ନୁହେଁ : ହାଇକୋର୍ଟ

ଭୁବନେଶ୍ଵର : ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଲେ ତାହାକୁ ଦୁଷ୍କର୍ମ ବୋଲି ବିବେଚନା କରାଯାଇ ପାରିବ ନାହିଁ। ଏକ ଜାମିନ ଆବେଦନର ଶୁଣାଣି କରି ଓଡିଶା ହାଇକୋର୍ଟ ଏହି ରାୟ ଦେଇଥିବା ବେଳେ ଅଭିଯୁକ୍ତକୁ ଜାମିନ ଦେବାକୁ ତଳକୋର୍ଟଙ୍କୁ କହିଛନ୍ତି।

ଖବର ଅନୁଯାୟୀ କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନାରେ ଜଣେ ୧୯ ବର୍ଷୀୟ ଯୁବତୀ ୨୦୧୯ ନଭେମ୍ବର ୨୭ରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ସେ ଦର୍ଶାଇ ଥିଲେ ନିଜ ଗାଁର ଅଚ୍ୟୁତ କୁମାର ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ। ଦୁଇଥର ଗର୍ଭବତୀ ହୋଇଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା। କୋରାପୁଟ ଜୟପୁର ସ୍ୱତନ୍ତ୍ର ସେସନ୍ସ କୋର୍ଟ ଅଭିଯୁକ୍ତର ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ।  ଏହା ବିରୋଧରେ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ଵାରସ୍ତ ହୋଇଥିଲେ। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଅଭିଯୁକ୍ତକୁ ଜାମିନ ଦେବା ପାଇଁ ନିମ୍ନ ଅଦାଲତକୁ ନିର୍ଦ୍ଦେଶ ଦେଇ କହିଛନ୍ତି। ଆଉ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ସ୍ଥାପନ ହେଲେ ତାକୁ ଦୁଷ୍କର୍ମର ଆଖ୍ୟା ଦେବା ଠିକ ଲାଗୁ ନାହିଁ ବୋଲି କହିଛନ୍ତି। କାରଣ ଯେତେବେଳେ ଯୁବତୀ ଜଣକ ନିଜ ଇଚ୍ଛାରେ ସଂପର୍କ ରଖୁଛନ୍ତି, ସେତେବେଳେ ଦୁଇଜଣ ବ୍ୟକ୍ତିଙ୍କ ସଂପର୍କକୁ ନେଇ ଦୁଷ୍କର୍ମ ଆଇନ ପ୍ରୟୋଗ କରାଯିବା ଠିକ୍ ନୁହେଁ। ତେବେ ଏପରି ଘଟଣାରେ ଦୁର୍ବଳ, ଗରିବ ଶ୍ରେଣୀର ମହିଳା ସମସ୍ୟାରେ ପଡୁଛନ୍ତି। ଦୁଷ୍କର୍ମ ଆଇନ ସେମାନଙ୍କର ସମସ୍ୟାର ସମାଧାନ କରିପାରୁନଥିବା କହି ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି।

ମତାମତ ଦିଅନ୍ତୁ ।