କାଳିଆ ଟଙ୍କା ପାଇଛନ୍ତି ୨୦ ହଜାର ସରକାରୀ ଚାକିରିଆ ଓ ପେନସନ ଭୋଗୀ

ଭୁବନେଶ୍ୱର: ରାଜ୍ୟର ୨୦ ହଜାର ସରକାରୀ ଚାକିରିଆ ଓ ପେନସନଭୋଗୀ କାଳିଆ ଯୋଜନା ଟଙ୍କା ପାଇଛନ୍ତି। ସେମାନଙ୍କୁ ଟଙ୍କା ଫେରାଇବାକୁ କୁହାଯିବ। ଯଦି ନଫେରାଇବେ ତେବେ ଦରମା ଓ ପେନସନରୁ ଟଙ୍କା ଭରଣା କରାଯିବ। ଆଜି ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ।

ରାଜ୍ୟ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ଛୋଟ ଚାଷୀ ଓ ଭାଗଚାଷୀ ମାନଙ୍କୁ କାଳିଆ ଯୋଜନା ମାଧ୍ୟମରେ ସହାୟତା ପ୍ରଦାନ କରଥିଲେ। ଅଭିଯୋଗ ଉଠିଲା ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ଏହି ଟଙ୍କା ଯାଇଛି। ପରବର୍ତ୍ତୀ ସମୟରେ ତଥ୍ୟ ସଂଗ୍ରହ କରାଯାଇଥିଲା। ସରକାରଙ୍କ ପକ୍ଷରୁ କୁହାଗଲା ଯେଉଁମାନେ ଚାହିଁବେ ସେମାନେ ଟଙ୍କା ଫେରାଇ ପାରିବେ। କିନ୍ତୁ ଦେଖାଯାଇଛି ମୋଟ୍ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯୋଜନା ଟଙ୍କା ଯାଇଛି। ସେଥିମଧ୍ୟରୁ ୨୦ ହଜାର ସରକାରୀ ଚାକିରିଆ ଓ ପେନସନଭୋଗୀ ଟଙ୍କା ପାଇଥିବା ବେଳେ ୧୨ ହଜାର ବଡ଼ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି କାଳିଆ ସହାୟତା। ତେଣୁ ସମସ୍ତଙ୍କୁ ଟଙ୍କା ଫେରାଇବାକୁ କୁହାଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।

କେବଳ ସେତିକି ନୁହେଁ ୯ ହଜାର ନାବାଳକ ଓ ନାବାଳିକା ବି କାଳିଆ ସହାୟତା ପାଇଛନ୍ତି। ଏସବୁ ପରିବାରର ମୁଖ୍ୟ ପାଇଛନ୍ତି ସହାୟତା। ତେଣୁ ଆଗକୁ ଦିଆଯିବାକୁ ଥିବା କିସ୍ତିରେ ଏହା ବ୍ୟବସ୍ଥିତ ହେବ। ତା’ଛଡ଼ା ୩ ଲକ୍ଷ ପରିବାରର ଏକାଧିକ ବ୍ୟକ୍ତି ଟଙ୍କା ପାଇଛନ୍ତି। ଗୋଟିଏ ପରିବାରର କେବଳ ଜଣକୁ ସହାୟତା ମିଳିବ। ପରବର୍ତ୍ତୀ କିସ୍ତିରେ ଏହାକୁ ଭରଣା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।