April 6, 2020

ନାକ୍‌ ମାନ୍ୟତା ପାଇଁ ପ୍ରସ୍ତୁତ କରାଯାଉଛି ରୋଡ଼୍‌ ମ୍ୟାପ୍‌ -ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର : ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ଯେପରି ଅଧିକରୁ ଅଧିକ ନାକ୍‌ ମାନ୍ୟତା ପାଇବେ ସେ ଦିଗରେ ଏକ ରୋଡ଼୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଉଛି। ଏଥିସହ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ନିୟମିତ ରିଫ୍ରେସର କୋର୍ସକୁ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ।

ଗୁରୁବାର ପୁସ୍ତକ ଭବନଠାରେ ବିଶ୍ୱବିଦ୍ୟାଳୟମାନଙ୍କର ଉଚ୍ଚ ପଦାଧିକାରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ ଶିକ୍ଷାନୁଷ୍ଠାନର ମାନବସମ୍ବଳ ବିକାଶ କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା, ପରିଚାଳନା ଓ ନାକ୍‌ ମାନ୍ୟତା ସମ୍ବନ୍ଧରେ ସମୀକ୍ଷା କରିଥିଲେ। ଏହି ଅବସରରେ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ଅଧ୍ୟାପକମାନଙ୍କ ନିୟମିତ ପ୍ରଶିକ୍ଷଣ ଆବଶ୍ୟକ ବୋଲି ସେ କହିଥିଲେ। ଏଥିପାଇଁ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୫‘ଟି’କୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ସହିତ ଇ-ଗଭର୍ଣ୍ଣାନ୍ସ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ଉଚ୍ଚଶିକ୍ଷାକୁ ଏକ ଉଚ୍ଚସ୍ତରକୁ ନେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ବିଶ୍ୱବ୍ୟାଙ୍କ ପ୍ରକଳ୍ପ ନିର୍ଦ୍ଦେଶକ ପରମେଶ୍ୱରନ୍‌ ବି., ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଓ ପ୍ରଫେସର ସସ୍ମିତ ପାଣି ପ୍ରମୁଖ ନାକ୍‌ ମାନ୍ୟତା ଓ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧିର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *