ଉଚ୍ଚ ଶିକ୍ଷା ବିଭାଗର କର୍ମଚାରୀଙ୍କୁ ଜଗିବ ମେସିନ୍‌

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନୂତନ ନିୟମ ଅନୁସାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ଲାଗି ବାୟୋମେଟ୍ରିକ୍ସ ମେସିନ୍‌ ଲାଗିବ। କର୍ମଚାରୀଙ୍କ କାର୍ଯ୍ୟସମୟ ତଦାରଖ କରାଯିବ। ଏକ ବିଜ୍ଞପ୍ତି ଜାରି କରି ଲୋକସେବା ଭବନରେ ଏହି ବ୍ୟବସ୍ଥା ସରକାର ଲାଗୁ କରିଛନ୍ତି।

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା କର୍ମଚାରୀମାନେ କେତେ ଦିନ ଓ କେତେ ସମୟ ଉପସ୍ଥିତ ରହୁଛନ୍ତି ମେସିନ୍‌ ତାହା ଉପରେ ନଜର ରଖିବ। କାର୍ଯ୍ୟକ୍ଷେତ୍ରକୁ ପ୍ରବେଶ କଲା ବେଳେ ଓ ପ୍ରସ୍ଥାନ କଲା ବେଳେ ଇନ୍‌ ଓ ଆଉଟ୍‌ ପଞ୍ଚ୍‌ ଦେବା ବାଧ୍ୟତାମୂଳକ। ପଞ୍ଚ୍‌ ନଦେଇ କାର୍ଯ୍ୟକ୍ଷେତ୍ର ଭିତରକୁ ପଶିଲେ ସେଦିନକୁ ଅନୁପସ୍ଥିତ ବୋଲି ଧରାଯିବ। ଉଚ୍ଚଶିକ୍ଷା ବିଭାଗର କର୍ମଚାରୀ ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ ସାଢ଼େ ସାତ ଘଣ୍ଟା ରହିବା ବାଧ୍ୟତାମୂଳକ। ତା’ଠାରୁ କମ୍‌ ସମୟ ରହିଲେ ଅଧା ଦିନର ଦରମା କାଟ୍‌ ହେବ। ୪ ଘଣ୍ଟାରୁ କମ୍ ସମୟ ଉପସ୍ଥିତି ରହିଲେ ସେ ଦିନଟି ଛୁଟି ବୋଲି ଧରି ନିଆଯିବ।

ସେହିପରି ଉଚ୍ଚ ଶିକ୍ଷା ବିଭାଗର ନିୟମ ଅନୁଯାୟୀ ସାଢ଼େ ୧୦ଟା ସୁଦ୍ଧା କଲେଜ୍‌ର କର୍ମଚାରୀ କଲେଜ୍‌ରେ ଉପସ୍ଥିତ ରହିବେ। ସାଢ଼େ ୧୦ଟା ପରେ କାର୍ଯ୍ୟାଳୟକୁ ଆସିଲେ ତାହାକୁ ବିଳମ୍ବ ବୋଲି ହିସାବ କରାଯିବ।

ମତାମତ ଦିଅନ୍ତୁ ।