ଷ୍ଟିଲ ସିଟିରେ ଅମାନିଆ ଭଙ୍ଗୁଛନ୍ତି କରୋନା ନିୟମ

ରାଉରକେଲା : ରାଜ୍ୟରେ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ପ୍ରତିଦିନ ମୁଣ୍ଡ ନେଉଛି ଏହି ଭାଇରସ। କିନ୍ତୁ ଲୋକଙ୍କର ଏଥିପ୍ରତି ସାମାନ୍ୟ ଚିନ୍ତା ଥିବାପରି ମନେ ହେଉନାହିଁ। ଅନଲକ -୪ ପରଠାରୁ କରୋନା ଚାଲିଗଲା ବୋଲି ସେମାନେ ଭାବୁଛନ୍ତି।

ଲାଠିକଟା ବ୍ଲକରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। କରୋନା କଟକଣାର ହେଉଛି ଖୋଲା ଉଲଂଘନ। ସାମାଜିକ ଦୂରତା ରକ୍ଷା କରିବା କଥା ଲୋକେ ଭୁଲି ଯାଇଥିବା ବେଳେ ମାସ୍କ ପିନ୍ଧୁନାହାନ୍ତି। କରୋନା ବା କୋଭିଡ଼-୧୯ ଭୁତାଣୁ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହାର ପ୍ରତିଷେଧକ ଆଜିଯାଏ ବାହାରି ନଥିବାରୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି। ବାରମ୍ବାର ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବାକୁ ଦିଆଯାଉଛି ପରାମର୍ଶ। ଏହି ସଚେତନତା ସରକାରୀ ଓ ବେସରକାରୀ ସ୍ତରରେ କରାଯାଇଛି। କିନ୍ତୁ କିଛି ନିୟମ ଉଲଂଘନକାରୀଙ୍କ ପାଇଁ ଏସବୁ ନିରର୍ଥକ ସାବ୍ୟସ୍ତ ହେଉଛି। ହାଟ ବଜାରରେ ଗହଳି କରିବା ସହିତ କରୁଛନ୍ତି ଖଟି। ରାସ୍ତା ଘାଟରେ ମେଳିହୋଇ ଗପସପ କରିବା ସହ ତାସ ଓ ଲୁଡ଼ୁ ଖେଳୁଥିବା ଦେଖିବାକୁ ମିଳୁଛି।

ସେହିପରି ଦକ୍ଷିଣ ରାଉରକେଲା ରଙ୍ଗୋଲି ଛକରେ ବସରେ ଯାତ୍ରୀ ଭିଡ଼ ପରିଲକ୍ଷିତ ହେଉଛି। ବଜାରରେ ବାଇକ ଓ ସାଇକେଲ ଚାଳକଙ୍କ ଭିଡ଼। ମୋଟାମୋଟି ଭାବେ କହିବାକୁ ଗଲେ ସାରନଗରୀ ବଜାରରେ କରୋନା କଟକଣାକୁ କେହି ମାନୁନାହାନ୍ତି। ତେଣୁ ନିୟମ ଭଙ୍ଗୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜିବୀମାନେ ମତ ଦେଉଛନ୍ତି।

ମତାମତ ଦିଅନ୍ତୁ ।