ଛାତ୍ର-ଛାତ୍ରୀଙ୍କୁ ବିଦ୍ୟାଳୟରେ ମିଳିବ ପ୍ରେମ ଶିକ୍ଷା

ନୂଆଦିଲ୍ଲୀ : ଆପଣମାନେ ସର୍ବଦା ଏହା ଶୁଣି ଆସିଥିବା ଯେ, ଛାତ୍ର-ଛାତ୍ରୀଙ୍କୁ ଶିକ୍ଷିତ କରିବା ପାଇଁ ବଡ ବଡ ବିଶ୍ଵ ବିଦ୍ୟାଳୟ ଖୋଲା ଯାଏ। ମାତ୍ର କେବେ ଆପଣ ଶୁଣିଛନ୍ତି କି, ଛାତ୍ର-ଛାତ୍ରୀଙ୍କୁ ପାଠପଢା ସହ ପ୍ରେମ ଶିକ୍ଷା ଦେବା ପାଇଁ ପ୍ରେମ ବିଦ୍ୟାଳୟ ଖୋଲାଯିବ। ଏମିତି କିଛି ଦେଖିବାକୁ ମିଳିଛି ବିହାରରେ। ଲଭ ଗୁରୁ ମଟୁକନାଥ ଭାଗଲପୁରରେ ପ୍ରେମ ବିଦ୍ୟାଳୟ ଖୋଲିବାକୁ ଯାଉଛନ୍ତି। ଏହି ବିଦ୍ୟାଳୟରେ ସେ ଛାତ୍ର-ଛାତ୍ରୀଙ୍କୁ ପ୍ରେମ ଶିକ୍ଷା ଦେବେ। ଦିନ ଥିଲା ପାଟନାରେ ତାଙ୍କ ପ୍ରେମ କାହାଣୀ ବହୁତ ଚର୍ଚ୍ଚାରେ ଥିଲା।
ଲଭଗୁରୁ ନାମରେ ଚର୍ଚ୍ଚିତ ପାଟନା ବିଶ୍ଵ ବିଦ୍ୟାଳୟର ହିନ୍ଦୀ ପ୍ରଫେସର ମଟୁକନାଥ ଅବସର ନେବା ପରେ ନିଜ ଗାଁ ଜୟରାମରେ ରହୁଛନ୍ତି। ମାତ୍ର ଆଜି ବି ତାଙ୍କ ମନରେ କିଛି କରିବାର ଜିଜ୍ଞାସା ରହିଛି। ଏହି କାରଣରୁ ଏବେ ସେ ଭାଗଲପୁର ଜିଲ୍ଲାର ବିହପୁର ପ୍ରଖଣ୍ଡ ସ୍ଥିତ ନିଜ ଗାଁରେ ଓଶୋ ଇଣ୍ଟରନ୍ୟାସନାଲ ସ୍କୁଲ ଖୋଲିବାକୁ ପ୍ରସ୍ତୁତି କରୁଛନ୍ତି। ଏଠାରେ ସେ ଛାତ୍ର-ଛାତ୍ରୀଙ୍କୁ ପ୍ରେମ ଶିକ୍ଷା ଦେବେ। ପାଟନା ପହଞ୍ଚିଥିବା ମଟୁକନାଥ କହିଛନ୍ତି ପ୍ରେମ ବିଦ୍ୟାଳୟର ଆରମ୍ଭ ଚଳିତ ବର୍ଷ ଏପ୍ରିଲରୁ ହେବ। ସେ କହିଛନ୍ତି ଏହି ବିଦ୍ୟାଳୟରେ ଭୌତିକ, ଆଧ୍ୟାତ୍ମିକ, ଆତ୍ମିକ ବିକାଶର ଶିକ୍ଷା ଦିଆଯିବ।
ଉଲ୍ଲେଖଯୋଗ୍ୟ, ପାଟନାରେ ମଟୁକନାଥ ଏବଂ ତାଙ୍କ ଅଧା ବୟସର ଛାତ୍ରୀ ଜୁଲିଙ୍କ ପ୍ରେମ କାହାଣୀ ଖୁବ୍ ଚର୍ଚ୍ଚାରେ ରହିଥିଲା। ୨୦୦୬ରେ ମଟୁକନାଥ ପାଟନା ବିଶ୍ଵ ବିଦ୍ୟାଳୟରେ ହିନ୍ଦୀ ପ୍ରଫେସର ଥିଲେ ଏବଂ ଜୁଲି ତାଙ୍କ ଛାତ୍ରୀ ଥିଲେ। ସେହି ସମୟରେ ଜୁଲି ପରିବାର ଲୋକଙ୍କ ବିରୋଧ, ସମାଜକୁ ନଡରି ମଟୁକନାଥଙ୍କୁ ବିବାହ କରିଥିଲେ। ପାଟନା ବିଶ୍ଵ ବିଦ୍ୟାଳୟରେ ତାଙ୍କ ପ୍ରେମ କାହାଣୀ ଓ ବିବାହକୁ ନେଇ ଖୁବ୍ ହଙ୍ଗାମା ହୋଇଥିଲା। ମଟୁକନାଥଙ୍କ ମୁହଁରେ ଛାତ୍ରମାନେ କାଳି ବୋଳିଥିଲେ। ବିଶ୍ଵ ବିଦ୍ୟାଳୟରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ମଟୁକନାଥ ବର୍ତ୍ତମାନ ଜୁଲିଙ୍କ ସହ ରହୁନାହାନ୍ତି। ତଥାପି ସେ ନିଜର ପ୍ରେମ କାହାଣୀକୁ ଅଧୁରା ମାନନ୍ତି ନାହିଁ ବୋଲି କହନ୍ତି।