ଶୁକ୍ରବାରରୁ କଟକ-ଭୁବନେଶ୍ୱରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର : କରୋନା ସଂକ୍ରମଣ ବଢୁ ଥିବାରୁ ରାଜ୍ୟ ସରକାର କଟକ-ଭୁବନେଶ୍ୱରେ ଶୁକ୍ରବାରଠାରୁ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି। ରାତି ୯ଟାରୁ ସକାଳ ୫ଟା ଏହି କଟକଣା ବଳବତ୍ତର ରହିବ। ସେହିପରି ସୀମାବର୍ତ୍ତୀ ୧୦ଟି ଜିଲ୍ଲାର ସହରାଞ୍ଚଳରେ ଶନି ଓ ରବିବାର ସାପ୍ତାହିକ ଟଡାଉନ୍ ସହ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ। ଅନ୍ୟ ୨୦ଟି ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ସୀମାବର୍ତ୍ତୀ ୧୦ଟି ଜିଲ୍ଲା ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଥିଲା। ସଂକ୍ରମଣ ବଢିବାରୁ ଏସବୁ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଲାଗୁ ହେବ। ଏଥିସହ ପ୍ରତି ଶନିବାର ଓ ରବିବାର ସହରାଂଚଳରେ ଲାଗୁହେବ ସାପ୍ତାହିକ ସଟଡାଉନ୍।

ସେହିପରି ଭୁବନେଶ୍ୱର, କଟକ ଓ ପୁରୀ ଆଦି ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ବଢୁଥିବାରୁ ୨୦ଟି ଜିଲ୍ଲାରେ ଆସନ୍ତାକାଲିଠାରୁ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଲାଗୁ ହେବ। ଅତ୍ୟାବଶ୍ୟକ ସେବାକୁ ଏହି କଟକଣାରୁ ବାଦ୍ ଦିଆଯିବ। ମାଲବାହୀ ପରିବହନ ଯଥାବତ୍ ଜାରି ରହିବ। ଶପିଂ ମଲ୍ ଓ ବ୍ୟବସାୟିକ ଦୋକାନ ଖୋଲା ରହିବ। କିନ୍ତୁ ମାସ୍କ ଓ ସାମାଜିକ ଦୂରତ୍ୱ ପାଳନ ବାଧ୍ୟତାମୂଳକ ହେବ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀମାନେ ନିଜ ସଂସ୍ଥାର ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ। ବାର, ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡ଼ିକ ନିଜର ୫୦ ପ୍ରତିଶତ କ୍ଷମତାରେ ପରିଚାଳିତ ହେବେ। ସରକାର ବ୍ୟବସାୟିକ ଅନୁଷ୍ଠାନକୁ ବନ୍ଦ କରି ଜୀବିକା ପ୍ରଭାବିତ କରିବାକୁ ଚାହୁଁନାହାନ୍ତି। ତେଣୁ ଏସବୁ ଖୋଲା ରହିଲେ ହେଁ କୋଭିଡ୍ ଗାଇଡଲାଇନ୍‌କୁ ପାଳନ କରିବାକୁ ପଡ଼ିବ। ଯେଉଁମାନେ ନିୟମ ଉଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *

Back to top button