ହାଇଦ୍ରାବାଦ : ସମୁଦ୍ର କୂଳରୁ ମିଳୁଛି ସୁନା। ଏହାକୁ ସଂଗ୍ରହ କରିବା ପାଇଁ ସୃଷ୍ଟି ହେଉଛି ଜନଗହଳି। ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ କାକିନାଡ଼ା ବେଳାଭୂମିକୁ ଧାଉଁଛନ୍ତି ମହିଳା ଓ ପିଲାଙ୍କ ସମତେ ବହୁ ସଂଖ୍ୟକ ମତ୍ସ୍ୟଜୀବୀ। ସୁନା ପାଇବା ନିଶାରେ ଏମାନେ ପ୍ରବଳ ବର୍ଷାକୁ ଖାତିର କରୁନାହାନ୍ତି।
ଖବର ଅନୁଯାୟୀ ସାମୁଦ୍ରିକ ବାତ୍ୟା ‘ନିଭାର’ ଯୋଗୁ ସମୁଦ୍ର ଯେଉଁ ବଡ ଢେଉ ଆସୁଛି ସେଥିରେ ସୁନା କୁଳକୁ ଚାଲି ଆସୁଛି ବୋଲି ସେମାନଙ୍କ ମନରେ ଧାରଣା ସୃଷ୍ଟି ହୋଇଛି। ସେଥିପାଇଁ ୟୁ କୋତାପଲ୍ଲୀ ବ୍ଲକ୍ ଅନ୍ତର୍ଗତ ଉପ୍ପଡ଼ା ଓ ସୁରଡ଼ାପେଟା ଗାଁର ଲୋକେ ପ୍ରବଳ ବର୍ଷା ଓ କୋହଲା ପାଗକୁ ଖାତର ନ କରି ସୁନା ଟୁକୁରା ପାଇବା ଆଶାରେ ବେଳାଭୂମିର ବାଲିକୁ ଘଣ୍ଟାଚକଟା କରୁଛନ୍ତି।
ୟୁ କୋତାପଲ୍ଲୀ ପୋଲିସ ସବ୍-ଇନ୍ସପେକ୍ଟର୍ ବି. ଲୋଭା ରାଜୁ କହିଛନ୍ତି ଶୁକ୍ରବାର ସକାଳେ ସମୁଦ୍ରକୂଳକୁ ଆସିଥିବା ଚାରିପାଞ୍ଚଜଣ ମତ୍ସ୍ୟଜୀବୀ ବାଲିରୁ କିଛି ସୁନା ଟୁକୁରା ପାଇଥିଲେ। ସେଗୁଡ଼ିକୁ ବିକ୍ରିକରି ସେମାନେ କିଛି ଟଙ୍କା ଉପାର୍ଜନ କରିଛନ୍ତି। ଏ ଖବର ପ୍ରଚାର ହେବାପରେ ସମୁଦ୍ରକୂଳରେ ଗ୍ରାମବାସୀମାନେ ଗହଳି ଲଗାଇଲେ। ସେମାନେ ଛତା ଧରି ଉପ୍ପଡ଼ା ବେଳଭୂମି ସାରା ଖୋଜାଖୋଜି କରିବା ସହ ମାଛଧରା ଜାଲ, ପାନିଆ ଓ ଲୁଗା ଆଦିରେ ବାଲି ଚଲାଇଥିଲେ। ମାତ୍ର ଅଳ୍ପ କେଇଜଣଙ୍କ ଭାଗ୍ୟରେ ସୁନା ଜୁଟିଥିଲେ ହେଁ ଗ୍ରାମବାସୀମାନେ ସୁନା ଖୋଜିବାରେ ଲାଗିଛନ୍ତି।
ସେ କହିଛନ୍ତି ଗତ ମାସରେ ହୋଇଥିବା ପ୍ରବଳ ବର୍ଷା ଯୋଗୁ ଉପକୂଳରେ ଥିବା ଅଳ୍ପ କେତୋଟି ଘର ଓ ଦୁଇଟା ପ୍ରାଚୀନ ମନ୍ଦିର ଭାସି ଯାଇଥିଲା। ବୋଧହୁଏ ସେଥିରେ ଥିବା ସୁନା ଟୁକୁରା ଭାସିଯାଇଥିବ। ଏହାଛଡା ତୀର୍ଥସ୍ଥାନକୁ ଆସୁଥିବା ଲୋକେ ବୁଡ଼ ପକାଇବା ପରେ ସମୁଦ୍ରକୁ ସୁନା ଟୁକୁରା ପକାନ୍ତି। ସେଇ ସୁନା ଟୁକୁରା ବେଳାଭୂମିକୁ ଆସିଥାଇ ପାରେ। ଯଦି ବଡ଼ ସୁନାଖଣ୍ଡ ମିଳୁଥାନ୍ତା ତାହେଲେ ରାଜସ୍ଵ କର୍ତ୍ତୃପକ୍ଷମାନେ ପଦକ୍ଷେପ ନେଇ ସାରନ୍ତେଣି। ପ୍ରକୃତରେ ସମୁଦ୍ର ସୁନା ଉଦ୍ଗାରୁ ନାହିଁ। ଏଇ ଟିକିନିଖି ସୁନା ସଂଗ୍ରହ କରି ଲୋକେ ମାତ୍ର ହଜାର ଦୁଇ ହଜାର ଟଙ୍କା ପାଉଥିବେ ବୋଲି ସେ କହିଛନ୍ତି।