Breaking Newsଦେଶ-ବିଦେଶ

ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ରାଜସ୍ଥାନ ବାଚସ୍ପତି

ନୂଆଦିଲ୍ଲୀ: ରାଜସ୍ଥାନର ରାଜନୀତି ଆଜି ନୂଆ ମୋଡ଼ ନେଇଛି। ବିଧାନସଭା ବାଚସ୍ପତି ସିପି ଜୋଶୀ ରାଜସ୍ଥାନ ହାଇକୋର୍ଟଙ୍କ ରାୟ ବିରୋଧରେ କରିଥିବା ପିଟିସନ ଦାଖଲକୁ ପ୍ରତ୍ୟାହାର କରି ନେଇଛନ୍ତି।

ଖବର ଅନୁଯାୟୀ ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀ ହାଇକୋର୍ଟଙ୍କ ରାୟ ବିରୋଧରେ କରିଥିବା ଆବେଦନକୁ ପ୍ରତ୍ୟାହାର କରି ନେଇଥିବା ତାଙ୍କ ଓକିଲ କପିଲ ସିବଲ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଥିଲେ। ସୁପ୍ରିମକୋର୍ଟ ପ୍ରତ୍ୟାହାର ଆବେଦନକୁ ଗ୍ରହଣ କରିଥିବା ଜଣାପଡିଛି। ଜୁଲାଇ ୨୪ରେ ହାଇକୋର୍ଟ ଏକ ନୂତନ ଆଦେଶ ପାସକରି ଦଶମ ସୂଚୀର ବ୍ୟାଖ୍ୟା ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇଛି। ପରବର୍ତ୍ତୀ ସମୟରେ କଣ କରାଯିବ ତାହା ଉପରେ ଆମର ଆଇନଗତ ବିକଳ୍ପ ଗୁଡ଼ିକର ଓଜନ କରିବାକୁ ପଡିବ। ତେବେ ହାଇକୋର୍ଟ ଗତ ଶୁକ୍ରବାର ଶୁଣାଇଥିବା ନିଷ୍ପତ୍ତିକୁ ସେ ଚ୍ୟାଲେଞ୍ଜ କରିପାରନ୍ତି ବୋଲି କପିଲ ସିବଲ ସୁପ୍ରିମକୋର୍ଟରେ କହିଛନ୍ତି।

ସୂଚନାଯୋଗ୍ୟ ଯେ ବାଚସ୍ପତି ସି.ପି ଯୋଶୀ ରାଜସ୍ଥାନ ହାଇକୋର୍ଟଙ୍କ ଆଦେଶରେ ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ବାଚସ୍ପତି ତାଙ୍କ ଆବେଦନରେ ଦର୍ଶାଇଥିଲେ ସୁପ୍ରିମ୍‌ କୋର୍ଟଙ୍କର ଏକ ପୂର୍ବ ରାୟ ମୁତାବକ କୌଣସି ଅଦାଲତ ବାଚସ୍ପତିଙ୍କ ଦ୍ଵାରା ଚାଲିଥିବା କାର୍ଯ୍ୟକାରୀ ମାମଲାରେ ହସ୍ତକ୍ଷେପ କରିପାରିବେ ନାହିଁ। ସଚିନ ପାଇଲଟ୍‌ ଓ ତାଙ୍କର ୧୮ ସମର୍ଥକ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ନେଇ ବାଚସ୍ପତି କୌଣସି ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ଏଥିରେ ଅଦାଲତ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଆବେଦନରେ ଦର୍ଶାଯାଇଥିଲା। ରାଜସ୍ଥାନ ହାଇକୋର୍ଟ ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ୨୪ ତାରିଖ ପର୍ଯ୍ୟନ୍ତ ରୋକ୍‌ ଲଗାଇବା ପରେ ବାଚସ୍ପତି ସୁପ୍ରିମ୍‌ କୋର୍ଟକୁ ଯାଇଥିଲେ। ସୁପ୍ରିମକୋର୍ଟ ଏହାର ଶୁଣାଣି କରି ରାଜସ୍ଥାନ ହାଇକୋର୍ଟରେ ଜୁଲାଇ ୨୪ରେ ହେବାକୁ ଥିବା ଶୁଣାଣି ଉପ‌ରେ ରୋକ୍ ଲଗାଇବାକୁ ମନା କରି ଦେଇଥିଲେ।

ମତାମତ ଦିଅନ୍ତୁ ।

Back to top button