ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ନକ୍ସଲ ନିହତ

ଗଡ଼ଚିରୋଲି : ମହାରାଷ୍ଟ୍ରର ଗଡ଼ଚିରୋଲି ଅନ୍ତର୍ଗତ ଖୋବ୍ରାମେଣ୍ଢା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ମହିଳା ନକ୍ସଲ ଥିବା ବେଳେ କିଛି ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ଜବତ କରାଯାଇଛି।
ଗଡ଼ଚିରୋଲି ରେଞ୍ଜର ଡେପୁଟି ଆଇଜି ସନ୍ଦୀପ ପାଟିଲ କହିଛନ୍ତି ଆଜି ସକାଲେ ଖୋବ୍ରାମେଣ୍ଢା ଜଙ୍ଗଲରେ ୨୫ ଜଣ ନକ୍ସଲ ଲୁଚି ରହିଥିବା ସୂଚନା ମିଳିଥିଲା। ଏହି ଖବର ପାଇ ଗଡ଼ଚିରୋଲି ପୋଲିସ୍ର ସି୬୦ କମାଣ୍ଡୋମାନେ ଅପରେସନ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀଙ୍କୁ ଦେଖି ନକ୍ସଲମାନେ ଖସି ଯିବାକୁ ଚେଷ୍ଟା କରିବାରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ଗୁଳି ବିନିମୟରେ ୨ ମହିଳାଙ୍କ ସମେତ ୫ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ଆଉ ୨୦ ଜଣ ନକ୍ସଲ ଜଙ୍ଗଲ ଭିତରେ ଲୁଚି ରହିଥିବାରୁ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।
ଶନିବାର ନକ୍ସଲଙ୍କ ସହ ଗୁଳି ବିନିମୟ ହୋଇଥିଲା। କିନ୍ତୁ ସେମାନେ ଖସି ଯିବାକୁ ସକ୍ଷମ ହୋଇଥିଲେ। ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରୁ ୩ଟି ପ୍ରେସର କୁକର ବୋମା, ଗୋଟିଏ ୩୦୩ ରାଇଫଲ ମ୍ୟାଗାଜିନ, କାଟ୍ରିଜ, ତାର, ସୋଲାର ପ୍ଲେଟ୍ସ, ହାତ ତିଆରି ବୋମା ଓ ମେଡିସିନ ଉଦ୍ଧାର କରିଥିଲେ।